ହୋଲିରେ ମଦ୍ୟପଙ୍କ ଉପରେ ରହିବ କଡ଼ା ନଜର: ସହରରେ ମୁତୟନ ହେବ ୧୩ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର, ୮।୩(ବ୍ୟୁରୋ): ହୋଲିକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ବ୍ୟାପକ ପ୍ରସ୍ତୁତି ଚଳାଇଛି। ରାଜଧାନୀରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜିବ ସେଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହୋଲିଦିନ ସହରରେ ପ୍ରାୟ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏଥିସହ ବିଭିନ୍ନ ଛକ ଓ ସମ୍ବେଦନଶୀଳ ସ୍ଥାନରେ ଅଧିକ ଫୋର୍ସ ନିୟୋଜିତ କରାଯିବ। ବିଶେଷକରି ମଦପଙ୍କ ଉପରେ କଡ଼ା ନଜର ରହିବ। ଅନ୍ୟପକ୍ଷରେ ପୂର୍ବ ବର୍ଷଗୁଡ଼ିକରେ ହୋଲିରେ ହତ୍ୟାକାଣ୍ଡ ଓ ଗଣ୍ଡଗୋଳ ଘଟିଥିବା ନଜିର ରହିଛି। ବିଶେଷକରି ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ରଙ୍ଗ ଖେଳ ନାଁରେ ଆକ୍ରମଣ ହେଉଥିବାରୁ ଏଥର କମିଶନରେଟ ପୋଲିସ ଏଥିପ୍ରତି ସତର୍କ ରହିଛି। ଗତବର୍ଷ ହୋଲିରେ ସିଆର୍‌ପି ଛକରେ ଦୁଇଗୋଷ୍ଠୀ ମୁହଁାମୁହିଁ ହୋଇ ଲହୁଲୁହାଣ ହୋଇଥିଲେ। ଗୋଟିଏ ଗୋଷ୍ଠୀ ଭୋଜି କରି ଖାଉଥିବାବେଳେ ପ୍ରତିପକ୍ଷ ଗୋଷ୍ଠୀର ସଦସ୍ୟମାନେ ମୁହଁରେ ରଙ୍ଗ ବୋଳି ହୋଇ ଆସି ସେଠାରେ ପହଞ୍ଚତ୍ ଆକ୍ରମଣ କରିଥିଲେ। ତେଣୁ ହୋଲିରେ ଯେଭଳି ଗୋଷ୍ଠୀ ସଂଘର୍ଷ ନ ଘଟିବ ସେଥିପ୍ରତି ଅଧିକ ସୁରକ୍ଷା ଗ୍ରହଣ କରାଯାଇଥିବା ଡିସିପି ଅନୁପ ସାହୁ କହିଛନ୍ତି।

ଏହାସହ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ଆଲର୍ଟ ରହିବେ। କୁଆଖାଇ ବ୍ରିଜ୍‌ ନିକଟରୁ ଟଙ୍କପାଣି ରୋଡ୍‌ କେନାଲ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଗ୍ନିଶମବାହିନୀ ଜଗି ରହିବେ। ଗାଧୋଇବାବେଳେ ବୁଡିଗଲେ ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିବେ। ସେହିଭଳି କ୍ୟାପିଟାଲ ହସ୍ପିଟାଲକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି। ଗଣ୍ଡଗୋଳ ହେଉ ଅବା ପାଣିରେ ବୁଡ଼ିଯାଉଥିବା ଲୋକଙ୍କୁ ଯେପରି ତୁରନ୍ତ ଚିକିତ୍ସା ମିଳିବ ସେଥିପ୍ରତି ଆବଶ୍ୟକ ବନ୍ଦୋବସ୍ତ କରିବାକୁ ହସ୍ପିଟାଲ ଫାଣ୍ଡି ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ହୋଲି ଦିନ ମଦ୍ୟପଙ୍କ ଉପତ୍ାତ ବଢିବା ଆଶା କରାଯାଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ସହ ଗଣ୍ଡଗୋଳ କଲେ ପୋଲିସ ସେମାନଙ୍କୁ ଗିରଫ କରିବ। ପିସିଆର ଭ୍ୟାନ୍‌ ପଇଁତରା ମାରିବା ସହ ମେଳି ହେଉଥିବା ସ୍ଥାନ ଉପରେ ନଜର ରଖିବ ବୋଲି ଡିସିପି କହିଛନ୍ତି।