ହୋମ ଆଇସୋଲେଶନକୁ ନେଇ ନୂଆ ନିୟମ ଆଣିଲେ ସରକାର

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ସ୍ଥିତି ଏବେ ଉଦ୍‌ବେଗଜନକ ହୋଇଛି। ଏହି ସଂକ୍ରମଣକୁ ରୋକିବାକୁ ଏବେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁମାନଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ ସେହିଭଳି କେତେଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର କରୋନାର ସାମାନ୍ୟ ଲକ୍ଷଣ ଥିବା ବା ପୂର୍ବ ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ହୋମ ଆଇସୋଲେଶନ ନିୟମରେ ସଂଶୋଧନ କରିଛନ୍ତି। ତେବେ ନମୁନା ସଂଗ୍ରହର ୧୭ ଦିନ ମଧ୍ୟରେ ଜଣେ ବ୍ୟକ୍ତିଙ୍କର ହୋମ ଆଇସୋଲେଶନ ଅବଧି ଶେଷ ହୋଇପାରିବ। ହେଲେ ଏଥିପାଇଁ ୧୦ ଦିନ ପର୍ଯ୍ୟନ୍ତ ଯେଉଁମାନଙ୍କୁ ଜ୍ୱର ନ ଆସିବ ସେମାନେ ୧୭ ଦିନ ମଧ୍ୟରେ ଆଇସୋଲଶନର ବା ପୃଥକବାସରୁ ବାହାରି ପାରିବେ। ଏହାସହ ହୋମ ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ନୂଆ ନିୟମ ଜାରି କରାଯାଇଛି। ତେବେ ସାମାନ୍ୟ ଲକ୍ଷଣ ବା ଆଦୌ ଲକ୍ଷଣ ନ ଥିବା ଲୋକେ ଆଇସୋଲେଶନରେ ରହିବା ସମୟରେ ଟ୍ରିପଲ ଲେୟାର ମାସ୍କ ପିନ୍ଧିବା ଜରୁରୀ।

 

ଆଇସୋଲେଶନରେ ଥିବା ବ୍ୟକ୍ତି କେଉଁ ନିୟମ ପାଳନ କରିବେ
-ସବୁବେଳେ ଟ୍ରିପଲ ଲେୟାର ମାସ୍କ ପିନ୍ଧିବା ଜରୁରୀ। ୮ ଘଣ୍ଟାରେ ଥରେ ଅଥବା ଏହା ଯଦି ଓଦା ହୋଇଯାଏ ତେବେ ତୁରନ୍ତ ଏହାକୁ ବଦଳାଇବା ଦରକାର।
-ବ୍ୟବହୃତ ମାସ୍କକୁ ଫୋପାଡିବା ପୂର୍ବରୁ ଏହାକୁ ଏକ ପ୍ରତିଶତ ସୋଡିୟମ ହାଇପୋକ୍ଲୋରାଇଡରେ ସଫା କରିବାକୁ ପଡିବ।
-ହୋମ ଆଇସୋଲେଶନ ସମୟରେ ଜଣେ ବ୍ୟକ୍ତି ଗୋଟିଏ କୋଠରୀରେ ରହିବା ସହ ପରିବାରର ବୟସ୍କ ବ୍ୟକ୍ତି ଓ ହୃଦରୋଗୀଙ୍କଠାରୁ ନିଶ୍ଚିତ ରୂପେ ଦୂରେଇ ରହିବେ।
-ଏହି ସମୟରେ ଯଥେଷ୍ଟ ଆରାମ କରିବା ସହ ପ୍ରଚୁର ପରିମାଣରେ ପାଣି ପିଇବା ଓ ତରଳ ପଦାର୍ଥ ଖାଇବା ଦରକାର।
-ନିଶ୍ୱାସ ପ୍ରଶ୍ୱାସକୁ ନେଇ ଦିଆଯାଇଥବା ନିର୍ଦ୍ଦେଶକୁ ପାଳନ କରିବାକୁ ପଡିବ।
-ସାବୁନ-ପାଣି ଅବା ଆଲକୋହଲ ଥିବା ସାନିଟାଇଜରରେ ଅତି କମ୍‌ରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ସଫା କରିବାକୁ ପଡିବ।
-ନିଜର କୌଣସି ଜିନିଷକୁ ଅନ୍ୟସହ ଶେୟାର କରିବେ ନାହିଁ।
-ଘର ଭିତରର ଯେଉଁସବୁ ଜିନିଷକୁ ବାରମ୍ବାର ଛୁଇଁବାକୁ ପଡୁଥିବ ସେସବୁକୁ ଏକ ପ୍ରତିଶତ ହାଇପୋକ୍ଲୋରାଇଡ ସଲ୍ୟୁଶନରେ ସଫା କରିବା ଜରୁରୀ।
-ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବାକୁ ପଡିବ।
-ନିଜ ସ୍ବାସ୍ଥ୍ୟର ଯତ୍ନ ନିଜେ ନେବା ସହ କୌଣସି ସମୟରେ ବିଶେଷ ଅସୁବିଧା ହେଲେ ତୁରନ୍ତ ଜଣାଇବେ।

 

ଯେଉଁମାନେ ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କର ଯତ୍ନ ନେଉଥିବେ ସେମାନଙ୍କ ପାଇଁ କ’ଣ ନିୟମ ରହିଛି
-ରୋଗୀଙ୍କ ନିକଟକୁ ଯିବାପୂର୍ବରୁ ଟ୍ରିପଲ ଲେୟାର ମାସ୍କ ପିନ୍ଧିବା ଜରୁରୀ। ଏହାକୁ ସାମ୍ନା ପଟୁ ନ ଛୁଇଁ ତୁରନ୍ତ ଏହାକୁ ବଦଳାଇ ନେବା ଭଲ।
-ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କ ନିକଟରୁ ଫେରିବା ପରେ ଭଲଭାବେ ହାତ ଧୋଇବେ।
-ଖାଇବା ତିଆରି କରିବା ପୂର୍ବରୁ ଅବା ଖାଇବା ପୂର୍ବରୁ, ଶୌଚାଳୟରୁ ଆସିବା ପରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଧୋଇବେ। ଆଲକୋହଲ ଥିବା ସାନିଟାଇଜର ବ୍ୟବହାର କରିବା ଭଲ।
-ରୋଗୀଙ୍କ ପାଖକୁ ଯିବା ପୂର୍ବରୁ ଗ୍ଲୋଭସ୍‌ ବ୍ୟବହାର କରିବା ଜରୁରୀ। ରୋଗୀଙ୍କ ଦେହରୁ ବାହାରୁଥିବା ତରଳ ପଦାର୍ଥ ସହ ସିଧାସଳଖ ସମ୍ପର୍କରେ ନ ଆସିବା ଭଲ।
-ଆଇସୋଲେଶନ କୋଠରୀରେ ରୋଗୀଙ୍କୁ ଖାଦ୍ୟ ଦେବା ସହ ତାଙ୍କ ବାସନ, ପାଣି, ଟାଓ୍ବେଲ ଆଦି ବ୍ୟବହାର କରିବାକୁ ବାରଣ କରାଯାଇଛି।
-ରୋଗୀଙ୍କ ଦେଖାରଖା କରୁଥିବା ବ୍ୟକ୍ତି ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ସହ ପ୍ରତିଦିନ ଶରୀରର ତାପମାତ୍ରା ମାପିବେ। ଯଦି କରୋନାର କୌଣସି ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରିବେ।

Share