ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହି ଶ୍ୱଶୂର ଘରକୁ ପଳାଇଲେ ଜ୍ୱାଇଁ: ପରେ ଚିହ୍ନଟ ହେଲେ ପଜିଟିଭ୍‌

ଡେରାବିଶ,୨୨ା୬(ସ୍ବ.ପ୍ର.) ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ଡେରାବିଶ ବ୍ଲକ ଅଧୀନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ କେଉଟକଣ୍ଡିଆ ଗ୍ରାମରୁ ଶନିବାର ଚିହ୍ନଟ ହୋଇଛନ୍ତି। ଏ ନେଇ ସୋମବାର ସକାଳ ୫ଟାରୁ ସମ୍ପୃକ୍ତ ଗ୍ରାମକୁ ୪୮ ଘଣ୍ଟା କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ଗ୍ରାମରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ମହିଳା ଓ ପୁରୁଷଙ୍କୁ ମିଶାଇ ୧୭ ଜଣଙ୍କ ସ୍ବାବ୍‌ ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଛି ।
ସୂଚନାନୁଯାୟୀ ବରୀ ବ୍ଲକ ଅଞ୍ଚଳର ଜଣେ ଯୁବକ ତାମିଲନାଡ଼ୁରୁ ଫେରି ସମ୍ପୃକ୍ତ ଅଞ୍ଚଳରେ ଥିବା କହରାଗଡ଼ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିଥିଲେ । ତେବେ ୧୪ ଦିନ ପରେ ଘରେ ସଙ୍ଗରୋଧରେ ରହିବା ପରିବର୍ତ୍ତେ କେଉଟକଣ୍ଡିଆ ଗ୍ରାମରେ ଥିବା ନିଜ ଶ୍ୱଶୁର ଘରକୁ ସ୍ତ୍ରୀଙ୍କ ସହ ପଳାଇ ଯାଇଥିଲେ। ତାଙ୍କର କରୋନା ପରୀକ୍ଷା ପାଇଁ ଗତ ସପ୍ତାହରେ ରକ୍ତ ନମୁନା ନିଆଯାଇଥିଲା । ଶନିବାର ସମ୍ପୃକ୍ତ ବ୍ୟକ୍ତି ଜଣକ ପଜିଟିଭ୍‌ ଚିହ୍ନଟ ପରେ ଯାଜପୁର ଜିଲା ପ୍ରଶାସନ କଳିଙ୍ଗନଗର କୋଭିିଡ୍‌ ହସ୍ପିଟାଲ୍‌କୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଗତ ଦୁଇ ସପ୍ତାହ ହେବ କେଉଟକଣ୍ଡିଆ ଗ୍ରାମରେ ଆକ୍ରାନ୍ତ ଯୁବକ ଜଣକ ବହୁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ଗ୍ରାମରେ ସଂକ୍ରମଣ ଆଶଙ୍କା କରାଯାଇଥିଲା। ପରେ ଅନ୍ୟମାନଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ବିଡିଓ ଗୋପବନ୍ଧୁ ଭୋସାଗର ସୂଚନା ଦେଇଛନ୍ତି ।