ହେଜେଲ୍‌ଙ୍କୁ କଫି ଡେଟ୍‌ରେ ନେବାକୁ ତିନି ବର୍ଷ ଅପେକ୍ଷା କରିଥିଲେ ଯୁବରାଜ

ବମ୍ବେ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ହେଜେଲ୍‌ କିଚଙ୍କ ଆଜି ‘ହାପି ଓ୍ବାଲା ବର୍ଥ ଡେ’ ଅର୍ଥାତ ଜନ୍ମଦିନ। ପେସାରେ ଜଣେ ମଡେଲ ତଥା ଅଭିନେତ୍ରୀ ଥିବା ହେଜଲ ଏବେ ଯୁବରାଜଙ୍କ ଜୀବନସାଥୀ। ବର୍ତ୍ତମାନ ସେ ବ୍ୟକ୍ତିଗତ ଜୀବନକୁ ପୁରା ଧ୍ୟାନ ଦେଉଛନ୍ତି। ଏହି ଶୁଭ ଦିନରେ ପତ୍ନୀ ହେଜେଲ୍‌ଙ୍କୁ ନିଆରା ଭାବେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ୟୁବି।

୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦମ୍ପତି। ହେଲେ ଏହା ପୂର୍ବରୁ ହେଜେଲ୍‌ଙ୍କୁ ଏକ କଫି ଡେଟ୍‌ରେ ନେବାପାଇଁ ୟୁବିଙ୍କୁ ତିନି ବର୍ଷ ଲାଗିଯାଇଥିଲା। ଏକ ସାକ୍ଷାତକାରରେ ୟୁବି ନିଜର ଲଭ୍‌ ଲାଇଫ୍‌କୁ ନେଇ ମନକଥା କହିଥିଲେ। ହେଜଲଙ୍କୁ ସେ ପସନ୍ଦ କରିବା ପରେ ଡେଟ୍‌ରେ ନେବାକୁ ଇଚ୍ଛା ପ୍ରକାଶ କରିଆସୁଥିଲେ। ଅନେକ ଥର ହେଜେଲ୍‌ ହଁ ଭରୁଥିଲେ ହେଁ ନିଜ ଫୋନକୁ ବନ୍ଦ କରିନେଉଥିଲେ। ବାରମ୍ବାର ଏଭଳି ହେବା ପରେ ଯୁବରାଜ ରାଗି ଯାଇଥିଲେ। ଏପରିକି ତାଙ୍କ ନଂ ମଧ୍ୟ ଡିଲିଟ୍‌ କରିଦେଇଥିଲେ। ଏହାର ଅନେକ ଦିନ ପରେ ସୋସିଆଲ ମିଡିଆରେ ପୁଣି ଉଭୟଙ୍କ ବନ୍ଧୁତା ହୋଇଥିଲା। ଅନୁରୋଧ ପଠାଇବାର ତିନି ମାସ ପରେ ହେଜେଲ୍‌ ତାକୁ ଗ୍ରହଣ କରିଥିଲେ। ଧିରେ ଧିରେ ଉଭୟଙ୍କ କଥା ଆଗକୁ ବଢ଼ିଥିଲା। ଶେଷରେ ତିନି ବର୍ଷ ପରେ ଉଭୟ ଡେଟ୍‌ରେ ଯାଇଥିଲେ। ଏହାପରେ ଉଭୟ ଲଗାତାର ଭାବେ ଭେଟିବାକୁ ଲାଗିଲେ। କ୍ରିକେଟରେ ରୁଚି ନ ଥିବା ସତ୍ତ୍ୱେ ସେ ଯୁବରାଜଙ୍କୁ ପସନ୍ଦ କରିଥିଲେ। ପରେ ଏହା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏବେ ଉଭୟ ସୁଖି ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ହେଜେଲ୍‌ କିନ୍ତୁ ଏବେ ଅଭିନୟ ଜୀବନରୁ ଦୂରେଇ ଯାଇଛନ୍ତି।

Share