ହୃଦ୍‌ପିଣ୍ଡ ସୁସ୍ଥ ରଖେ ସୋରିଷ ତେଲ

ପ୍ରାୟ ସମସ୍ତଙ୍କ ଘରେ ପ୍ରତିଦିନ ସୋରିଷ ତେଲର ବ୍ୟବହାର କରାଯାଏ। ଖାଦ୍ୟ ପ୍ରସ୍ତୁତି ସହ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ସୋରିଷ ତେଲ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଶୀତ ଦିନରେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ କଥା। ଆପଣ ସୋରିଷ ତେଲର କିଛି ବୁନ୍ଦା ଚେହେରାରେ ମାଲିସ କରନ୍ତୁ। କିଛି ସମୟ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ଚମକ ଆସେ। ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି। ଏହାକୁ ନିୟମିତ ରୂପେ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବା ଓ ସଂକ୍ରମଣ ସମସ୍ୟା ଦୂର ହୋଇଯାଏ। ସୋରିଷ ତେଲରେ ଭରି ରହିଛି ଭିଟାମିନ, ଯାହା ଚର୍ମ ଓ କେଶ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ସୋରିଷ ତେଲ ପାଦରେ ମାଲିସ କଲେ ଥଣ୍ଡାସର୍ଦ୍ଦି ସମସ୍ୟାରୁ ଉପଶମ ମିଳିଥାଏ। ଏହି ତେଲରେ କୋଲେଷ୍ଟ୍ରଲ ମାତ୍ରା ସନ୍ତୁଳିତ ରହିଥାଏ। ସୋରିଷ ତେଲରେ ଭରପୂର ମାତ୍ରାରେ ମୋନୋସ୍ୟାଚ୍ୟୁରେଟେଡ ଫ୍ୟାଟି ଏସିଡ୍‌ ଥାଏ। ଯାହା ଶରୀରରୁ ଅଦରକାରୀ ଚର୍ବିକୁ ବାହାର କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ହୃଦ୍‌ପିଣ୍ଡ ସୁସ୍ଥ ରହେ।