Categories: ଜାତୀୟ

‘ହୁନର ହାଟ’ରେ ବିହାରର ସ୍ବାଦିଷ୍ଟ ବ୍ୟଞ୍ଜନ ‘ଲିଟି-ଚୋଖା’ର ମଜା ନେଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସମୟରେ ନିଆରା କାର୍ଯ୍ୟ କରି ସମସ୍ତଙ୍କୁ ଚକିତ କରିଦେଇଥାନ୍ତି। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ବୁଧବାର ମଧ୍ୟ କିଛି ଏଭଳି ଘଟିଛି। ବୁଧବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟ ରାଜପଥରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଥିବା ହସ୍ତଶିଳ୍ପ ମେଳା ‘ହୁନର ହାଟ’ରେ ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିଲେ। ଏହାପରେ ମୋଦି ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ହସ୍ତଶିଳ୍ପ କାରିଗରମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କର ବିଭିନ୍ନ ଅଭାବ ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ପରେ ମେଳାରେ ଲାଗିଥିବା ଏକ ଷ୍ଟଲରୁ ବିହାର ପ୍ରସିଦ୍ଧ ଓ ସ୍ବାଦିଷ୍ଟ ବ୍ୟଞ୍ଜନ ଲିଟି-ଚୋଖା ଖାଇଥିଲେ ଏବଂ ମାଟିର ପାତ୍ରରେ ଚା’ ପିଇଥିଲେ।

ବିଶେଷ କଥା ହେଲା ଏଥିପାଇଁ ମୋଦି ନିଜ ପକେଟ୍‌ରୁ ଟଙ୍କା ଦେଇଥିଲେ। ସେଠାରେ ସେ ୫୦ ମିନିଟ ବିତାଇଥିଲେ। ଏହାର କିଛି ଫଟୋକୁ ମୋଦି ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମୋଦିଙ୍କ ଏହି ଗସ୍ତ ନେଇ କୌଣସି କାର୍ଯ୍ୟସୂଚୀ ପୂର୍ବରୁ ନିର୍ଦ୍ଧାରିତ ହୋଇ ନ ଥିଲା। ତେବେ ମୋଦିଙ୍କର ଏହି ହଠାତ୍‌ ଗସ୍ତକୁ ଦେଖି ସମସ୍ତେ ଚକିତ ହୋଇପଡ଼ିଥିଲେ। ଏହାପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭୀ ମଧ୍ୟ ସେଠାରେ ପହଞ୍ଚିଥିଲେ।

Share