ହୀରାକୁଦରେ ହେବ ନୂତନ ସ୍ପିଲଓ୍ବେ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ହୀରାକୁଦ ବନ୍ଧର ଦୀର୍ଘ ମିଆଦୀ ନିରାପତ୍ତା ପାଇଁ ରାଜ୍ୟ ସରକାର ସ୍ପିଲଓ୍ବେ ନିର୍ମାଣ କରୁଛନ୍ତି। ସମାନଭାବେ ଆଉ ଏକ ସ୍ପିଲଓ୍ବେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରି ହୀରାକୁଦ ବନ୍ଧର ନିରାପତ୍ତା ଉପରେ ଗୁରୁତ୍ୱ ଦେବାକୁ ବିଶ୍ୱ ବ୍ୟାଙ୍କ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ନଦୀ ବନ୍ଧ ଉପରେ ବନ୍ୟାଜଳ ଚାପ କମ୍‌ ରହିବ ବୋଲି ଆଶା କରାଯାଇଛି। ଏଥିପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହି କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବର୍ଷାଦିନରେ ହୀରାକୁଦ ଜଳଭଣ୍ଡାରରେ ଅଧିକ ପରିମାଣର ପାଣି ଜମି ରହିବା ଫଳରେ ବନ୍ଧ ପ୍ରତି ଚାପ ସୃଷ୍ଟି ହେଉଛି। ତେଣୁ ଏହାର ନିରାପତ୍ତାକୁ ନଜରରେ ରଖି ବିଶ୍ୱ ବ୍ୟାଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବନ୍ଧ ପରିଦର୍ଶନ କରିଥିଲେ। ଏହି ପ୍ରକଳ୍ପ ଲାଗି ମଧ୍ୟ ବିଶ୍ୱ ବ୍ୟାଙ୍କ ସହାୟତା ଯୋଗାଇ ଆସୁଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ନୂଆ ସ୍ପିଲ୍‌ଓ୍ବେ ଯୋଗୁ ବହୁ ଜନବସତି ଅଞ୍ଚଳ କ୍ଷତିଗ୍ରସ୍ତ ହେଉଛି। ତେଣୁ କ୍ଷତିଗ୍ରସ୍ତଙ୍କ ଲାଗି ଉପଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା କରାଯାଇ କାମକୁ ଅଗ୍ରଗତି କରାଇବା ଲାଗି ସରକାର ଚିନ୍ତା କରୁଛନ୍ତି। ଅନ୍ୟପଟେ ଯଦି ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ଯୋଗୁ ଅଧିକ ଅର୍ଥ ଖର୍ଚ୍ଚ ହେବ ତେବେ ତାହା ରାଜ୍ୟ ସରକାର ବହନ କରିବେ ବୋଲି ବିଶ୍ୱ ବ୍ୟାଙ୍କ ଜଣାଇ ଦେଇଛି। ସେଥିଲାଗି ବିଶ୍ୱବ୍ୟାଙ୍କ ସମୟ ମଧ୍ୟରେ କାର୍ଯ୍ୟ ସାରିବା ଦିଗରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି। ଏହି ସ୍ପିଲଓ୍ବେ ନିର୍ମାଣ ଶେଷ ହେବାପରେ ଏଥିରେ ୭ ଲକ୍ଷ କ୍ୟୁସେକ ଜଳ ହୀରାକୁଦରୁ ବନ୍ୟା ସମୟରେ ନିଷ୍କାସିତ ହୋଇପାରିବ।