Categories: ଖେଳ

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୮।୮ (ପି.ଟି.)- ଚେକ୍‌ ରିପବ୍ଲିକରେ ଅନୁଷ୍ଠିତ ଆଥ୍‌ଲେଟିକି ମିଟିଙ୍କ ରିଟର୍‌ ଇଭେଣ୍ଟରେ ଶ୍ରେଷ୍ଠ ଭାରତୀୟ ସ୍ପ୍ରିଣ୍ଟର ହିମା ଦାସ ଓ ମହମ୍ମଦ ଆନସ ଯଥାକ୍ରମେ ୩୦୦ ମିଟର ମହିଳା ଓ ପୁରୁଷ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜୁଲାଇ ୨ ପରଠାରୁ ୟୁରୋପିଆନ୍‌ ରେସ୍‌ରେ ହିମାଙ୍କ ଏହା ୬ଷ୍ଠ ସ୍ବର୍ଣ୍ଣ ପଦକ ଥିଲା। ଶେଷଥର ପାଇଁ ଆସାମର ଏହି ମହିଳା ଧାବିକା ଜୁଲାଇ ୨୦ରେ ଚେକ୍‌ ରିପବ୍ଲିକର ନୋଭେ ମେଷ୍ଟୋଠାରେ ଅନୁଷ୍ଠିତ ଇଭେଣ୍ଟର ୪୦୦ ମିଟର ରେସ୍‌ରେ ପୋଡିୟମ ଶୀର୍ଷ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଅପରପକ୍ଷରେ ପୁରୁଷ ୩୦୦ ମିଟର୍‌ ରେସ୍‌କୁ ୩୨.୪୧ ସେକେଣ୍ଡରେ ଶେଷ କରି ଆନସ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ଖୁସି ଖବରକୁ ଆନସ ଟୁଇଟ୍‌ ଜରିଆରେ ଉଲ୍ଲେଖ କରିଛନ୍ତି। ଜାତୀୟ ରେକର୍ଡର ଅଧିକାରୀ ଆନସ୍‌ ପୂର୍ବରୁ ଦୋହାରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଏହି ସମ୍ମାନଜନକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ତେବେ ହିମା ଦାସ ବର୍ତ୍ତମାନ ସୁଦ୍ଧା ଏହି ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିବାରେ ସମର୍ଥ ହୋଇପାରି ନାହାନ୍ତି।

Share