Categories: ଜାତୀୟ

ହିନ୍ଦୁ ମହିଳାଙ୍କୁ ବଞ୍ଚାଇବା ପାଇଁ ରୋଜା ଭାଙ୍ଗିଲେ ମୁସଲମାନ ଯୁବକ

ଜୟପୁର, ୨୭।୫: ଭାଇଚାରାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ନାଗୌରରେ ଦେଖିବାକୁ ମିଳିଛି। ହିନ୍ଦୁ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ରୋଜା(ଓଷା) ଭାଙ୍ଗି ଦେଇଛନ୍ତି ମୁସଲମାନ ଯୁବକ। ଅସରଫ ଖାନ୍‌ ନାମକ ଏହି ୨୨ବର୍ଷୀୟ ଯୁବକ ନିଜ ରକ୍ତ ଦେଇ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଦେଇଛନ୍ତି। ସୂଚନାଯୋଗ୍ୟ, ସାବିତ୍ରୀ ଦେବୀ ନାମକ ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା। ଉକ୍ତ ମହିଳାଙ୍କ ବ୍ଲଡ ଗ୍ରୁପ୍‌ ବି ନେଗେଟିଭ୍‌ ହୋଇଥିବାରୁ ସେହି ଗ୍ରୁପ୍‌ର ବ୍ଲଡ ମିଳିବା ସହଜ ନ ଥିଲା। ଏନେଇ ମହିଳାଙ୍କ ସମ୍ପର୍କୀୟମାନେ ସୋସିଆଲ ମିଡିଆରେ ବ୍ଲଡ ଆବଶ୍ୟକ ବୋଲି ଏକ ପୋଷ୍ଟ କରିଥିଲେ। ଅସରଫ ଏହା ଦେଖି ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ରକ୍ତ ଦାନ କରିଥିଲେ। ବର୍ତ୍ତମାନ ରମ୍‌ଜାନ ମାସ ଚାଲିଥିବାରୁ ଅସରଫ୍‌ ରୋଜା ରଖିଥିଲେ। କିନ୍ତୁ ମହିଳାଙ୍କ ପାଇଁ ସେ ରୋଜା ଭାଙ୍ଗିଥିଲେ। ଭବିଷ୍ୟତରେ ଭାରତୀୟ ସେନାରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି ଅସରଫ।

Share