ହିଂସାକୁ ଉସୁକାଇବା ଭଳି ମନ୍ତବ୍ୟ ଦେଇ ଅଡ଼ୁଆରେ ପ୍ରଦୀପ ମାଝି, ନିଜ ଆଡ଼ୁ ଏତଲା କଲା ନବରଙ୍ଗପୁର ପୋଲିସ

ନବରଙ୍ଗପୁର,୨୭।୧୨(ବି.ପ୍ର.): ନବରଙ୍ଗପୁର ବନ୍ଦ ପାଳନ ସମୟରେ ହିଂସାକୁ ଉସୁକାଇବା ଭଳି ମନ୍ତବ୍ୟ ଦେଇ ଅଡ଼ୁଆରେ ପୂର୍ବତନ ଏମ୍‌ପି ତଥା କଂଗ୍ରେସ ନେତା ପ୍ରଦୀପ ମାଝି। ନବରଙ୍ଗପୁର ଟାଉନ ଥାନାରେ ନିଜ ତରଫରୁ ପୋଲିସ ପ୍ରଦୀପଙ୍କ ସହ ମୋଟ ୧୫ଜଣଙ୍କ ନାମରେ ଏତଲା ଦେଇଛି। ଏହାପରେ ମାମଲା(ନଂ. ୩୧୦/୧୯) ରୁଜୁ କରି ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି। ଦଫା ୧୪୭, ୩୪୧, ୩୫୩,୨୮୩, ୫୦୬,୪୩୫,୧୨୦(ଖ) ଏବଂ ୩ ପିଡିପିପିରେ ମାମଲା ରୁଜୁ ହୋଇଛି। ଆଉ ଅଧିକ ଲୋକଙ୍କ ନାମରେ ମାମଲା ହୋଇପାରେ ବୋଲି ପୋଲିସ କହିଛି।

ପ୍ରକାଶଯୋଗ୍ୟ, କୋଷାଗୁମୁଡ଼ା ବ୍ଲକ ବାମୁଣି ପଞ୍ଚାୟତରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ନ୍ୟାୟ ନ ମିଳିଲେ ଏହାକୁ ଛଡ଼ାଇନେବୁ। ଗାନ୍ଧୀଙ୍କୁ ଛାଡ଼ି ସୁଭାଷ ବୋଷଙ୍କ ନୀତି ଆପଣାଇବୁ ବୋଲି ମନ୍ତବ୍ୟ ଦେଇଥିଲେ ପ୍ରଦୀପ। ଏହାକୁ ନେଇ ରାଜନୀତି ତେଜିବା ସହ ବିଭିନ୍ନ ମହଲରୁ ଏଭଳି ବୟାନକୁ ନିନ୍ଦା କରାଯାଇଥିଲା।