ହାର ମାନିଛି ଶାରୀରିକ ଅକ୍ଷମତା: ପ୍ରସନ୍ନଙ୍କ ମୁଣ୍ଡରେ ପରିବାର ବୋଝ

ବୋଲଗଡ,୬ା୧୧(ଡି.ଏନ.ଏ.)-ଦିବ୍ୟାଙ୍ଗ ଅକ୍ଷମ ନୁହନ୍ତି। ସକ୍ଷମଙ୍କ ଭଳି ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରନ୍ତି। ଏହା ପ୍ରତିପାଦିତ କରିଛନ୍ତି ବୋଲଗଡ ବ୍ଲକ ଗର୍ଭଣୀପଡା ଗ୍ରାମର ପ୍ରସନ୍ନ ଜେନା। ଦୃଢ ମନୋବଳ ତଥା ଇଚ୍ଛାଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ପରିବାରର ବୋଝ ପ୍ରସନ୍ନଙ୍କ ମୁଣ୍ଡରେ। ଗୋଟିଏ ପାନ ଦୋକାନ ଦେଇ ଯାହା କିଛି ରୋଜଗାର କରୁଛନ୍ତି। ସେଥିରେ ତାଙ୍କ ପରିବାର ଚଳୁଛି। ପ୍ରସନ୍ନଙ୍କୁ ବର୍ତ୍ତମାନ ୩୧ବର୍ଷ । ତାଙ୍କୁ ଯେତେବେଳେ ଦୁଇ ବର୍ଷ ବୟସ ହୋଇଥିଲା ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ସତ୍ତ୍ୱେ ସୁସ୍ଥ ନହେବାରୁ ତାଙ୍କର ୨ଟିଯାକ ଗୋଡ ଅଚଳ ହୋଇଗଲା। ପିତା ମାତାଙ୍କର ସେ ବଡପୁଅ । ତାଙ୍କର ଏଭଳି ଅବସ୍ଥା ଦେଖି ସେମାନେ ସର୍ବଦା ଚିନ୍ତାରେ ରହୁଥିଲେ । ହେଲେ ବେଡି ଉପରେ କୋରଡା ସଦୃଶ ପ୍ରସନ୍ନ ଯେତେବେଳେ ୫ମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ପିତାଙ୍କର ଦେହାନ୍ତ ହୋଇଗଲା। ଘରେ ମାଆ ଏବଂ ସାନ ଭାଇ । ସମ୍ପତି ବୋଲି ଘର ଡିହ ଖଣ୍ଡକୁ ଛାଡିଦେଲେ ସେମିତି କିଛି ନାହଁି । ଫଳରେ ପ୍ରସନ୍ନଙ୍କ ପାଠ ପଢାରେ ଡୋରିବନ୍ଧା ହୋଇଗଲା। ତେବେ ନିଜ ମନବଳକୁ ଦୃଢ କରି ମାଆଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସନ୍ନ ଗୋଟିଏ ପାନ ଦୋକାନ ଦେଇଥିଲେ । ନିଜ ୩ଚକିଆ ସାଇକେଲରେ ବଜାରରୁ ସଉଦା ଆଣି ପାନ ଦୋକାନରେ ବ୍ୟବସାୟ କରୁଛନ୍ତି। ଯାହା କିଛି ରୋଜଗାର ହେଉଛି ସେଥିରେ ପରିବାର ଚଳାଉଛନ୍ତି। ନିଜର ନିତ୍ୟକର୍ମ ପାଇଁ ମଧ୍ୟ ସେ କାହା ଉପରେ ନିର୍ଭର କରନ୍ତି ନାହିଁ । ଗୋଡ ଦୁଇଟି ଅଚଳ ହେଲେ ମଧ୍ୟ କାହା ଉପରେ ବୋଝହୋଇ ବସି ନାହାନ୍ତି। ବରଂ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟି ଯାଇଛନ୍ତି ା ତାଙ୍କ ସମ୍ପର୍କରେ ବୋଲଗଡ ବ୍ଲକ ଏସଏସଓ କାମଦେବ ନାୟକ କୁହନ୍ତି ପ୍ରସନ୍ନଙ୍କୁ ଦିବ୍ୟାଙ୍ଗ ଭତ୍ତା ଦିଆଯାଉଛି । ଡିଆରଆଇ ସ୍କିମରେ ୧୫ହଜାର ଟଙ୍କା ଯୋଗାଇ ଦିଆଯାଇଛି । ଅନ୍ୟାନ୍ୟ ସୁବିଧା ସୁଯୋଗ ତାଙ୍କୁ ଯୋଗାଇ ଦେବାକୁ ପ୍ରଚେଷ୍ଟା କରାଯାଉଛି ।