ହାରିଲେ ଅଭିନେତ୍ରୀ, ଜିତିଲେ ଅଭିନେତା

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ଓଲିଉଡ୍‌ ଜଗତରୁ କେତେଜଣ କଳାକାର ରାଜନୀତି ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଦଳୀୟ ଟିକେଟ ପାଇଥିଲେ ମାତ୍ର ୩ଜଣ। ଜନସମର୍ଥନ ହାତେଇବାକୁ ପ୍ରୟାସ କରୁଥିବା ଏହି କଳାକାରମାନଙ୍କ ମଧ୍ୟରୁ ୨ଜଣ ପରାଜିତ ହୋଇଥିବା ବେଳେ ଜଣେ ବିଜୟ ତିଳକ ପିନ୍ଧିଛନ୍ତି। ବିଜେଡିରୁ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଲୋକ ସଭା ଟିକେଟ ପାଇଥିବା ବେଳେ ଭାଜପାରୁ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ କେନ୍ଦ୍ରାପଡ଼ା ଲୋକ ସଭା ଆସନ ଉପରେ ସାରା ରାଜ୍ୟର ନଜର ରହିଥିଲା। ଆଉ ଏଠାରେ ବିଜେଡି ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତି ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଓଲିଉଡ୍‌ ଦୁନିଆର ପ୍ରତିଷ୍ଠିତ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତରରୁ ଭାଜପାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ପରାଜିତ ହୋଇଛନ୍ତି। ସେହିଭଳି ଅଭିନେତ୍ରୀ ତଥା ଭାଜପା ନେତ୍ରୀ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ବିଜେଡିର ହେଭିଓ୍ବେଟ୍‌ ସୂର୍ଯ୍ୟନାରାୟଣ ପାତ୍ରଙ୍କଠାରୁ ସେ ପରାଜିତ ହୋଇଛନ୍ତି।