ହାପି ବାର୍ଥ ଡେ ବ୍ରହ୍ମାନନ୍ଦମ୍‌: ୧ ହଜାରରୁ ଅଧିକ ଫିଲ୍ମରେ କରିଛନ୍ତି କାମ, ଗିନିଜ୍‌ ରେକଡର୍‌ସରେ ନାମ ସାମିଲ

ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ହାସ୍ୟ କଳାକାର ବ୍ରହ୍ମାନନ୍ଦମ୍‌ଙ୍କ ଶନିବାର ହାପି ବାର୍ଥ ଡେ। ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ #Brahmanandam ଟ୍ରେଣ୍ଡ କରୁଥିବା ବେଳେ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ତରଫରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି।

୧ ଫେବୃୟାରୀ ୧୯୫୬ରେ ବ୍ରହ୍ମାନନ୍ଦମ୍‌ ଜନ୍ମଗ୍ରହଣ କରିଥିଲେ। ଏବେ ସେ ତେଲୁଗୁ ସିନେମାର ଏକ ବଡ଼ ନାମ। ଏହା ପଛରେ କାରଣ ମଧ୍ୟ ରହିଛି। ତାଙ୍କୁ ପ୍ରାୟ ସମସ୍ତ ତେଲୁଗୁ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥାଏ। ୧୯୮୭ ମସିହାରେ ଡେବ୍ୟୁ କରିଥିବା ବ୍ରହ୍ମାନନ୍ଦମ୍‌ ଇତିମଧ୍ୟରେ ୧ ହଜାରରୁ ଅଧିକ ଫିଲ୍ମରେ କାମ କରିସାରିଲେଣି।

ଦକ୍ଷିଣ ଭାରତୀୟ ସିନେମାର ପ୍ରତିଟି ସୁପରଷ୍ଟାରଙ୍କ ସହ ବ୍ରହ୍ମାନନ୍ଦମ୍‌ କାମ କରିଛନ୍ତି। ସେ ମହେଶବାବୁ ହୁଅନ୍ତୁ ଅଥବା ପ୍ରଭାସ, ଆଲ୍ଲୁ ଅର୍ଜୁନ, ରାମ ଚରଣ, ନାଗାର୍ଜୁନଙ୍କ ଭଳି କଳାକାର, ସେ ସମସ୍ତଙ୍କ ସହ ନଜରକୁ ଆସିଛନ୍ତି। ତେଲୁଗୁ ଛଡ଼ା କନ୍ନଡ଼, ତାମିଲ ସିନେମାରେ ମଧ୍ୟ କାମ କରିଛନ୍ତି ସେ।

ଭାରତୀୟ ସିନେମାରେ ଯୋଗଦାନ ହେତୁ ବ୍ରହ୍ମାନନ୍ଦମ୍‌ଙ୍କୁ ୨୦୦୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ସବୁଠାରୁ ଅଧିକ ସ୍କ୍ରିନ୍‌ କ୍ରେଡିଟ୍‌ ପାଇଥିବା ଜୀବିତ କଳାକାର ଭାବେ ସେ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ମଧ୍ୟ ସାମିଲ ହୋଇଛନ୍ତି। ଏହାଛଡ଼ା ସେ ଫିଲ୍ମଫେୟାର, ସିନେମା ଏବଂ ନନ୍ଦି ଆଓ୍ବାଡର୍‌ସ ମଧ୍ୟ ପାଇଛନ୍ତି।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ବ୍ରହ୍ମାନନ୍ଦମ୍‌ ଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ପୁଅ ରାଜା ଗୌତମ ଏବଂ ସିଦ୍ଧାର୍ଥ ରହିଛନ୍ତି।

Share