Categories: ଜାତୀୟ

ହାଥରସ୍‌ ଯାଉଥିବା ୪ ଗିରଫ: ପିଏଫ୍‌ଆଇ ଏଜେଣ୍ଟ୍‌ ବୋଲି କହିଲା ପୋଲିସ

ନୂଆଦିଲ୍ଲୀ, ୬।୧୦: ଉତ୍ତରପ୍ରଦେଶର ହାଥରସ୍‌ ବଳାତ୍କାର ନେଇ ସାରାଦେଶରେ ପ୍ରଦର୍ଶନ ଜାରି ରହିଛି। ଦିଲ୍ଲୀରୁ ହଥାରସ୍‌ ଯାଉଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ କେରଳର ମଲ୍ଲପୁରମର ଜଣେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ରହିଛନ୍ତି। ସେମାନେ ବିଚ୍ଛିନ୍ନତାବାଦି ସଂଗଠନ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ସଦସ୍ୟ ବୋଲି ପୋଲିସ କହିଛି। ସେମାନେ ଉତ୍ତରପ୍ରଦେଶ ସରକାରଙ୍କ ଛବି ମଳିନ କରିବା ଲାଗି ଉଦ୍ୟମ କରୁଥିବା ପୋଲିସ ଅଭିଯୋଗ କରିଛି। ଏହା ସହିତ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ଲାଗି ପ୍ରୟାସ କରୁଥିବା ପୋଲିସ ସୂଚନା ଦେଇଛି। ଏହି ମାମଲାରେ ରାଜ୍ୟରେ ୨୧ଟି ମୋକଦମା ରୁଜୁ କରାଯାଇଛି। ଗିରଫ ହୋଇଥିବା ଗଣମାଧ୍ୟମ ପ୍ରତିନିଧି ସାଦିକ୍‌ କପ୍ପନଙ୍କୁ ଶୀଘ୍ର ଛାଡ଼ିବା ପାଇଁ କେରଳ ୟୁନିୟନ୍‌ ଅଫ୍‌ ଓ୍ବାର୍କିଂ ଜର୍ନାଲିଷ୍ଟ ପକ୍ଷରୁ ଦାବି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖକୁ ଚିଠି ମଧ୍ୟ ଲେଖାଯାଇଛି। ରାଜ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଖବର ସଂଗ୍ରହ ପାଇଁ ସାଦିକ୍‌ ଯାଇଥିବା ୟୁନିୟନ୍‌ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ଅନ୍ୟମାନେ ମୁଜାଫରନଗରର ନଗଲା ବାସିନ୍ଦା ଅତିକ୍‌ଉର୍‌ ରହମାନ, ବହରାଇଚ୍‌ର ଜରଓ୍ବଲର ମସୁଦ୍‌ ଅହମ୍ମଦ ଏବଂ ରାମପୁରର ଆଲମ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ସେମାନଙ୍କୁ ପଚରା ଉଚରା କରାଯାଉଛି।

Share