Categories: ଜାତୀୟ

ହାତ ନାହିଁ, ଗୋଡ ଅଚଳ ତଥାପି ନଦୀ ପାର ହୋଇ ଶିକ୍ଷାଦାନ ପାଇଁ ଯାଆନ୍ତି ଏହି ଶିକ୍ଷକ

କୁକାନାର,୫।୯: ଛତିଶଗଡ଼ ସୁକମା ଜିଲା ମାଝିଡିହି ମାଧ୍ୟମିକ ବିଦ୍ୟାାଳୟରେ ଶିକ୍ଷକ ଭାବେ କାମ କରୁଥିବା ସନ୍ଦିପ ଭଦୋରିଆ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ଦିନେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ସନ୍ଦିପଙ୍କୁ ତାଙ୍କ ଡାହାଣ ହାତ ହରାଇବାକୁ ପଡିଥିଲା। ଏମିତିକି ତାଙ୍କ ଡାହାଣ ଗୋଡ ମଧ୍ୟ କାମ କରିବା ବନ୍ଦ କରି ଦେଇଥିଲା। ଏତିକି ବେଳେ ସମସ୍ତେ କହିଥିଲେ ଚାକିରି କରୁଛ ଯଦି ଅବସର ନେଇଯା। ହେଲେ ହାର ମାନି ନ ଥିଲେ ସନ୍ଦିପ। ଦୃଢ ମନୋବଳ ଯୋଗୁଁ ସେ ବାମ ହାତରେ ଲେଖିବା ଅଭ୍ୟାସ କରିଥିଲେ। ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପ୍ରତିଦିନ ସନ୍ଦିପ ପାଖାପାଖି ୫ କିଲୋମିଟର ବଣ, ପାହାଡ ଓ ନଦୀ ଅତିକ୍ରମ କରି ସ୍କୁଲ ଯାଇଥାଆନ୍ତି। ତଥାପି ସେ ଶିକ୍ଷାଦାନ ଜାରି ରଖିଥିବା ଦେଖି ଗାଁ ଗହଳିର ପିଲାଠାରୁ ବୟସ୍କ ସମସ୍ତେ ତାଙ୍କ ମନୋବଳକୁ ଖୁବ୍‌ ପ୍ରଶଂସା କରନ୍ତି।

କୁହାଯାଏ ଗୁରୁଙ୍କୁ ମାଗଣାରେ ଉଚ୍ଚ ସ୍ଥାନ ଦିଆଯାଇ ନାହିଁ। କାରଣ ଶିଷ୍ୟର ଭବିଷ୍ୟତ ଗୁରୁଙ୍କ ପାଇଁ ସବୁକିଛି। ଏଥିପାଇଁ ସେ ସବୁ ପରୀକ୍ଷାକୁ ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି। ଯାହା ସନ୍ଦିପଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ।

ସମାଜବିଜ୍ଞାନ ଓ ଅର୍ଥନୀତିଶାସ୍ତ୍ରରେ ସ୍ନାତକତ୍ତୋର କରିଥିବା ସନ୍ଦିପ ୨୧ ବର୍ଷର ଚାକିରି କାଳ ମଧ୍ୟରେ ବିଭିନ୍ନ ସ୍କୁଲରେ ପାଠ ପଢାଇଛନ୍ତି। ହେଲେ ସବୁ ପ୍ରତିକୂଳ ପରିସ୍ଥିତିରେ ବି ସେ ଚିନ୍ତା କରନ୍ତି ଶିଷ୍ୟଙ୍କ ଭବିଷ୍ୟତ କଥା।

Share