ହାତ ଦେଖାଇଲେ ଆପେ ସ୍ପ୍ରେ ହେବ ସାନିଟାଇଜର

କଟକ ଅଫିସ,୨୧।୫: କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ କ୍ଷେତ୍ରରୁ ପ୍ରୟାସ ଚାଲିଛି। ଏହି କ୍ରମରେ କରୋନା ଲଢ଼େଇରେ ସାମିଲ ହୋଇଛି କଟକସ୍ଥିତ ଖପୁରିଆ ସରକାରୀ ଆଇଟିଆଇ। ପୂର୍ବରୁ ଭ୍ରାମ୍ୟମାଣ କୋଭିଡ୍‌ ନମୁନା ସଂଗ୍ରହ ମେଶିନ ଓ କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଦୁଇଟି ରୋବୋଟ ତିଆରି କରାଯାଇଥିଲା। ସଂକ୍ରମଣ ରୋକିବା ଲାଗି ଏବେ ଏକ ଅଟୋମେଟିକ ସାନିଟାଇଜ ମେଶିନ ବିକଶିତ କରିଛି ଖପୁରିଆ ଆଇଟିଆଇ। ଏହି ମେଶିନକୁ ଆଇଟିଆଇର ମେକାନିକ ଇଲେକ୍ଟ୍ରୋନିକ ଟ୍ରେଡ୍‌ର ଅର୍ଚ୍ଚନା ସାହୁ, ଲଳିତ ମାର୍ଥା, ଅର୍ଚ୍ଚନା ପାଢ଼ୀ ତିଆରି କରିଛନ୍ତି।
ଏହି ମେଶିନ ମେଡିକାଲ, ସରକାରୀ କାର୍ଯ୍ୟାଳୟ ଓ ଦୋକାନରେ ବ୍ୟବହାର କରାଯାଇପାରିବ। ଏଥିରେ ଅଲଟ୍ରାସୋନିକ ସେନ୍ସର ଲାଗିଛି। ତେଣୁ ଏହାକୁ ସିଧାସଳଖ ଛୁଇଁବା ଆବଶ୍ୟକ ନାହିଁ। ସେନ୍ସର ଲାଗିଥିବାରୁ ମେଶିନ ପାଖରେ ହାତ ରଖିଲେ ଆପେଆପେ ଏହା ଆଲକହଲଯୁକ୍ତ ପାଣି ସ୍ପ୍ରେ କରିବ। ଏଥିଲାଗି ଏକ ଛୋଟ ନାଜାଲ ରହିଛି। ୩ ସେକେଣ୍ଡ ଭିତରେ ଏହା ୫ରୁ ୬ ମି.ଲି. ସାନିଟାଇଜର ସ୍ପ୍ରେ କରିପାରିବା ଦକ୍ଷତା ରଖୁଛି। ହାତ ସଫା କରିବା ବେଳେ ଏକ ଏଲ୍‌ଇଡି ଲାଇଟ୍‌ ଜଳେ, ଯାହା ହାତ ଠିକ୍‌ ଭାବେ ସଫା ହୋଇଛି କି ନା, ତା’ର ସୂଚନା ଦିଏ। ଏହି ମେଶିନର ଦାମ୍‌ କମ୍‌ ଥିବାରୁ ଏହାକୁ ସବୁ ଶ୍ରେଣୀର ଲୋକେ କିଣିପାରିବେ। ଏହାକୁ ସହଜରେ କାନ୍ଥ କିମ୍ବା କୌଣସି ଷ୍ଟାଣ୍ଡରେ ଲଗାଯାଇପାରିବ। ଏଥିରେ ଜଳ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ ରହିଛି। ଏରେଟର ଟେକ୍ନୋଲୋଜି ବ୍ୟବହାର ହୋଇଥିବାରୁ ଆଲକହଲ ଯୁକ୍ତ ଜଳକୁ ଏହା ସଂରକ୍ଷଣ କରିପାରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ହୃଷୀକେଶ ମହାନ୍ତି ସୂଚନା ଦେଇଛନ୍ତି।