ହାତୀ ଶାବକର ମୃତଦେହ ଉଦ୍ଧାର

ସାତମାଇଲ, ୪।୭(ଡି.ଏନ୍‌.ଏ.) : ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ଅଧୀନ ବାଲିସାହି ନିକଟ ମୁଣ୍ଡିଆରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ବୟସ ୨ମାସ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ହାତୀ ଛୁଆର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
ଅଞ୍ଚଳବାସୀଙ୍କ କହିବା କଥା, ଜରଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ମାସେ ହେଲା ଏକ ପଲରେ ୧୫ଟି ହାତୀ ଉତ୍ପାତ ସୃଷ୍ଟି କରି ଚାଲିଛନ୍ତି। ସପ୍ତାହେ ହେଲେ ଉକ୍ତ ହାତୀପଲ ବାଲିକିଆରୀ ଅଞ୍ଚଳରେ ଘରଦ୍ୱାର ନଷ୍ଟ କରିବା ସହ ଧାନଚାଉଳ ଖାଇଯାଉଛନ୍ତି। ବାଡ଼ି ବଗିଚାରେ ପଶି ଫସଲ କ୍ଷତି କରୁଛନ୍ତି। ଉକ୍ତ ହାତୀ ପଲରେ ୩ ଶାବକ ଥିଲେ। ସେଥିରୁ ଗୋଟିଏ ହେଉଛି ଉକ୍ତ ମୃତ ଶାବକ। ଦୁଇଦିନ ତଳେ ମା’ହାତୀଠାରୁ ହାତୀ ଛୁଆ ଖାଦ୍ୟ ଖାଉଥିବା ଗ୍ରାମବାସୀ ଦେଖିଥିଲେ। ହଠାତ୍‌ ଶାବକର ମୃତ୍ୟୁ କିପରି ହେଲା ତାହା ସନ୍ଦେହ ସେମାନେ ଜାଣି ନ ଥିବା କହିଛନ୍ତି।
ଗୁରୁବାର ସକାଳେ ମୁଣ୍ଡିଆରେ ହାତୀପଲ ଗର୍ଜନ କରୁଥିବା ଶୁଣି ଅଞ୍ଚଳବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ରେଞ୍ଜର ମଧୁସୂଦନ ପାତ୍ର , ଫରେଷ୍ଟର ସୁଦର୍ଶନ ଦେହୁରୀ, ଫରେଷ୍ଟ ଗାର୍ଡ ମୁକ୍ତି ପ୍ରସାଦ ବେହେରା ପହଞ୍ଚତ୍ ଖୋଜାଖୋଜି କରିବା ବେଳେ ହାତୀ ଶାବକ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ମା’ ମୃତ ଶାବକକୁ ଜଗି ରହିଥିଲା। ତେଣୁ ବନ କର୍ମଚାରୀ ପାଖ ମାଡ଼ିପାରି ନ ଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ମା’ ହାତୀ ଜଙ୍ଗଲକୁ ପଳାଇଥିଲା। ଏହାପରେ ବନ କର୍ମଚାରୀ ମୃତ ଶାବକକୁ ଉଦ୍ଧାର କରି ମୁଣ୍ଡିଆ ତଳକୁ ଆଣିଥିଲେ। ରାସୋଳ ପ୍ରାଣୀଧନ ଚିକିତ୍ସକ ଅଭିଷେକ ସାହୁ ହାତୀଟିର ବ୍ୟବଚ୍ଛେଦ କରିବା ପରେ ମୃତଦେହ ପୋତିଦିଆଯାଇଛି। ରିପୋର୍ଟ ଆସିବା ପରେ ହାତୀ ଶାବକର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣାପଡ଼ିବ ବୋଲି ରେଞ୍ଜର କହିଛନ୍ତି।