ହାତୀ ଉପଦ୍ରବ, ଲୋକେ ଆତଙ୍କିତ

ଖୁଣ୍ଟୁଣୀ/ ଚୌଦ୍ୱାର, ୧୯।୧୨(ଡି.ଏନ୍‌.ଏ.):ଖୁଣ୍ଟୁଣୀ ଥାନା ଅଧୀନ ଡାଳଭାଗ ଓ ତଳଗଡ଼ ଗ୍ରାମରେ ହାତୀପଲ ପଶି ଫସଲ ନଷ୍ଟ କରିବା ସହ ଧାନ, ପନିପରିବା ଖାଇଦେଇଛନ୍ତି। ଡାଳଭାଗ ଗ୍ରାମର ନିଧି ମହାନ୍ତିଙ୍କ ବାରିରୁ ୬୦ ହଳା ଓ ଲକ୍ଷ୍ମୀଧର ମହାନ୍ତିଙ୍କ ବାରିରୁ ୪୦ ହଳା ପାଚିଲା ଧାନ ଖାଇଦେଇଥିବା ଜଣାପଡିଛି। ଏ ନେଇ ସେମାନେ ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ସେହିଭଳି ତଳଗଡ଼ ଗ୍ରାମରେ ମଧ୍ୟ ପ୍ରାଣବନ୍ଧୁ ରଣା, ପ୍ରଭାକର ରଣାଙ୍କ ସପ୍ନେଶ୍ୱର ମନ୍ଦିର ପାର୍ଶ୍ୱର ୨ଏକର ଜମିରେ ପଶି ଫସଲ ଖାଇବା ସହ ନଷ୍ଟ କରିଦେଇଛନ୍ତି। ଗୋକୁଳ ପଣ୍ଡାଙ୍କ ୧ଏକର ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି। ଅଭିଯୋଗ ପରେ ଆଠଗଡ଼ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତର ମଙ୍ଗଳପୁର କାଜୁ ଜଙ୍ଗଲରେ ୧୮ବିଶିଷ୍ଟ ହାତୀପଲ ଲୁଚି ରହିଥିବା ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଭୟର ବାତାବରଣ ଲାଗି ରହିଛି। ଏହି ହାତୀପଲ ରବିବାର ବିଳମ୍ବିତ ରାତିରେ ଡାଳିଯୋଡା ସଂରକ୍ଷିତ ଜଙ୍ଗଲରୁ ବାହାରି ଏହି ଜଙ୍ଗଲରେ ଲୁଚି ରହିଛନ୍ତି। ଏହି ହାତୀପଲ ଭାଗଭାଗ ହୋଇଯାଇଥିବାରୁ ସେମାନଙ୍କୁ ଘଉଡାଇବା କଷ୍ଟକର ହୋଇପଡୁଥିବା ଚୌଦ୍ୱାର ବନପାଳ ଜ୍ୟୋତି ରଞ୍ଜନ ମହାପାତ୍ର କହିଛନ୍ତ। ୧୮ଟି ହାତୀ ମଧ୍ୟରୁ ୨ଟି ହାତୀ ଛତିଷାପାଟ ଅଭିମୁଖେ ଯାଇଥିବା ଜନୈକ ବନ କର୍ମଚାରୀ କହିଛନ୍ତି। ବନ କର୍ମଚାରୀ ହାତୀଙ୍କୁ ଘଉଡ଼ାଇବାରେ ବିଫଳ ହୋଇଥିବା ବେଳେ ଧାନ ବିଲକୁ ହାତୀପଲ ନ ପଶିବା ପାଇଁ ଗ୍ରାମବାସୀ ନିଅଁାହୁଳା ଜାଳି ଜଗି ରହିିଥିବା ଦେଖାଦେଇଥିଲା।