ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ବାଗଡ଼ିଆ-ଛେଣ୍ଡିପଦା ରାସ୍ତା ଅବରୋଧ

ଛେଣ୍ଡିପଦା,୨୦।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ବାଗଡ଼ିଆ ବଡ଼ଯୋରା ନିକଟରେ ଜଣେ ମହିଳାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ଟାଙ୍ଗିର ପଞ୍ଚାୟତ ପାଣପଶିର ମିଶ୍ର ମାଝୀଙ୍କ ସ୍ତ୍ରୀ ଲଳିତା ବୋଲି ଜଣାପଡିଛି। ପ୍ରକାଶ ଯେ, ଲଳିତା ସୋମବାର ସନ୍ଧ୍ୟାରେ ବାଗଡ଼ିଆରୁ ହାଟ ସାରି ବିଲ ରାସ୍ତାଦେଇ ଘରକୁ ଫେରୁଥିବା ବେଳେ ବଡ଼ଯୋରା ନିକଟରେ ହାତୀ ଲଳିତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଜାରିରଖିଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକ ହାତୀ ଘଉଡାଇବା ଓ କ୍ଷତିପୂରଣ ଦାବିରେ ବାଗଡ଼ିଆ-ଛେଣ୍ଡିପଦା ରାସ୍ତା ଅବରୋଧ କରିଛନ୍ତି ।