ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଜୀବନ ଗଲା

ଅନୁଗୋଳ,୨୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ତାଳତଇଲାରେ ସୋମବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ଜୀବନ ଯାଇଛି। ବୃଦ୍ଧା ଜଣକ ହେଲେ କଣଲୋଇ ଗ୍ରାମର ଦୁର୍ଯ୍ୟୋଧନ ମାଝୀଙ୍କ ସ୍ତ୍ରୀ ଖେଡ଼ି ମାଝୀ (୬୮)। ବନବିଭାଗ ସୂତ୍ରରୁ ପ୍ରକାଶ, ସୋମବାର ସକାଳେ କଣଲୋଇ ସଂରକ୍ଷିତ ଜଙ୍ଗଲ କମ୍ପାଣ୍ଟମେଣ୍ଟ ୭ ନିକଟସ୍ଥ ତାଳତଇଳା ନିକଟରେ ଥିବା କାଜୁ ବଗିଚାକୁ କଣଲୋଇ ଗ୍ରାମର ଖେଡ଼ି ମାଝୀ ଓ ତାଙ୍କ ବୋହୂ କାଜୁ ତୋଳିବା ପାଇଁ ଯାଇଥିଲେ। କାଜୁ ତୋଳୁଥିବାବେଳେ ଏକ ଦନ୍ତାହାତୀ ସହିତ ମୁହାଁମୁହିଁ ହୋଇଯାଇଥିଲେ। କୌଶଳ କ୍ରମେ ବୋହୂ ପଳାଇ ଆସିଥିବାବେଳେ ଖେଡ଼ିଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରି ଦେଇଥିଲା ହାତୀ। କ୍ଷତିପୂରଣ ଦାବି ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ଲେଖାହେଲା ବେଳକୁ ବନବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।