ହାତୀ ଅସୁସ୍ଥ, ଚିନ୍ତାରେ ପରିବେଶବିତ୍‌

କେନ୍ଦୁଝର,୨୯।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ଉପର ସୁମଠ ଗ୍ରାମ ଜଙ୍ଗଲରେ ଏକ ହାତୀ ଅସୁସ୍ଥ ହୋଇପଡ଼ିଛି। ହାତୀର ବୟସ ପ୍ରାୟ ୨୫ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଅସୁସ୍ଥତାର କାରଣ ଜଣାପଡ଼ିନାହିଁ। ଶନିବାର ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଏହାର ପରୀକ୍ଷା କରିବା ପରେ ରବିବାର ମୟୂରଭଞ୍ଜ ଜିଲା ଶିମିଳିପାଳରୁ ଏକ ବିଶେଷଜ୍ଞ ଦଳ ଆସି ଅସୁସ୍ଥତାର କାରଣ ଯାଞ୍ଚ କରିବା ସହ ରକ୍ତ ନମୁନା ପରୀକ୍ଷା ପାଇଁ ନେବେ ବୋଲି ସ୍ଥାନୀୟ ରେଞ୍ଜ ଅଧିକାରୀ ମୁକ୍ତିକାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ପାହାଡ଼ ଘେରରେ ଥିବା ଉକ୍ତ ଅଞ୍ଚଳରେ ଏବେ ୫ଟି ହାତୀ ବୁଲୁଥିବା ବେଳେ କୌଣସି ସଂକ୍ରମଣ କାରଣରୁ ଅସୁସ୍ଥ ହୋଇଥିବା ଆଶଙ୍କା କରି ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି।