ହାଟ ବନ୍ଦ କଲେ ବିଡିଓ

ଖଇରା, ୩୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ହେଉଥିବା ଅଭିଯୋଗ ହେବା ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାକୁ ନିୟନ୍ତ୍ରଣ କରିବା ଲାଗି ରାସ୍ତାକୁ ଓହ୍ଲାଇଛନ୍ତି। ସେ ଖଇରା ବ୍ଲକର ଖଇରା, ଡୁଙ୍ଗୁରା, ଗଣ୍ଡିବେଡ, ପାତ୍ରଖୁଣ୍ଟା, ଦୋମୁହାଁଣି, ପଳସା ସମେତ ସମସ୍ତ ସାପ୍ତାହିକ ହାଟକୁ ବନ୍ଦ କରିବା ଲାଗି ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜେ ବିଡିଓ ବଳ ପ୍ରତ୍ୟେକ ଦିନ ବିଭିନ୍ନ ଆଞ୍ଚଳିକ ହାଟକୁ ଯାଇ ଏହାର ତଦାରଖ କରିବା ସହ ଭିଡ ହେଉଥିବା ସ୍ଥାନକୁ ପୋଲିସ ଲଗାଇ ବନ୍ଦ କରୁଛନ୍ତି। ଶନିବାର ଡୁଙ୍ଗୁରା ହାଟରେ ପହଞ୍ଚି ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ରବିବାର ପଳସା ହାଟକୁ ଯାଇ ପରିବା ଦୋକାନୀଙ୍କୁ ସାମାଜିକ ଦୂରତା ରଖି ଆସୁଥିବା ଗ୍ରାହକମାନଙ୍କୁ ଜିନିଷ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଖାଦ୍ୟ ପ୍ରସ୍ତୁତ କରି ଗରିବ ଅସହାୟ ଭିକାରୀମାନଙ୍କୁ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଠିକ୍‌ ଭାବେ ଚାଲିଛି କି ନାହିଁ ସେ ପଞ୍ଚାୟତ ବୁଲି ଦେଖିଛନ୍ତି ା ଏ ସମ୍ପର୍କରେ ବିଡିଓ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାଧାରଣ ଭାବେ ହାଟ ବନ୍ଦ ପାଇଁ ସମସ୍ତ ସରପଞ୍ଚଙ୍କୁ ମେସେଜ ଦିଆଯାଇଛି। ଆବଶ୍ୟକସ୍ଥଳେ କମିଟି ଓ ଲୋକପ୍ରତିନିଧିମାନେ ସାମାଜିକ ଦ୍ୱରତ୍ୱ ରକ୍ଷା କରିବା ବ୍ୟବସ୍ଥା କରି କମ୍‌ ସମୟ ହାଟ ଚଲାଇପାରନ୍ତି ବୋଲି କହିଛନ୍ତି।