‘ହାଉଡି ମୋଦି’ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା: ସ୍କୁଲ, କଲେଜ୍‌ ବନ୍ଦ

ହଷ୍ଟନ,୨୦।୯: ଆଗାମୀ ସେପ୍ଟେମ୍ବର ୨୨ରେ ଆମେରିକାରେ ଆୟୋଜିତ ହେବ ‘ହାଉଡି ମୋଦି’ କାର୍ଯ୍ୟକ୍ରମ। ଟେକ୍ସାସର ହଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାର ଭାରତୀୟ ଯୋଗ ଦେବେ। କିନ୍ତୁ ଏହି ଭବ୍ୟ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା ସାଙ୍ଗକୁ ଝଢ ତୋଫାନ ହୋଇଛି। ଏହି କାରଣରୁ ସେଠାରେ ସମସ୍ତ ସ୍କୁଲ ଏବଂ କଲେଜଗୁଡିକୁ ବନ୍ଦ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଚଳିତମାସ ୨୧ ତାରିଖରୁ ୨୭ ତାରିଖ ଯାଏ ମୋଦି ଆମେରିକା ଗସ୍ତରେ ଯିବେ। ୨୨ ତାରିଖରେ ‘ହାଉଡି ମୋଦି’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୨୭ ତାରିଖରେ ସେ ଜାତିସଂଘ ମହସଭାକୁ ସମ୍ବୋଧିତ କରିବେ। ୨୦୧୯ରେ ନିର୍ବଚନ ଜିତିବା ପରେ ମୋଦିଙ୍କ ଏହା ହେବ ପ୍ରଥମ ଆମେରିକା ଗସ୍ତ। ଏହି କାର୍ଯ୍ୟକ୍ରମ ପାଇଁ ୫୫ ହଜାରରୁ ଅଧିକ ଲୋକ ବର୍ତ୍ତମାନ ସୁଦ୍ଧା ରେଜିଷ୍ଟ୍ରେସନ କରିସାରିଲେଣି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟ୍ରମ୍ପ ରାଜି ହୋଇଥିବାରୁ ମୋଦି ଟୁଇଟ୍‌ କରି ତାଙ୍କୁ ସ୍ବାଗତ କରିଥିଲେ। ମୋଦି କହିଥିଲେ, ଟ୍ରମ୍ପ ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ନୂଆ ସଙ୍କେତ ଦେଇଛନ୍ତି। ଟ୍ରମ୍ପ ଏଥିରେ ସାମିଲ ହେଉଥିବାରୁ ମୁଁ ଖୁସି। ଏହି ଆୟୋଜନକୁ ମୁଁ ଅପେକ୍ଷା କରି ରହିଛି।

Share