Categories: ଜାତୀୟ

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର, ହତ୍ୟା ଘଟଣା: ଅଭିଯୁକ୍ତଙ୍କ ମା’ କହିଲେ ବଳାତ୍କାରୀ ପୁଅକୁ ଜାଳିଦିଅ

ହାଇଦ୍ରାବାଦ,୨ା୧୨: ମୋ ପୁଅ ଯଦି ଅପରାଧ ଘଟାଇଛି, ସେ ମୋ ପାଇଁ କେହି ନୁହେଁ। ସେ ଯଦି ବଳାତ୍କାର ଓ ହତ୍ୟା କରିଛି ତାକୁ ବି ଜାଳିଦିଅ। କାରଣ ଭୁଲକୁ କେବେ ଠିକ୍‌ ବୋଲି କୁହାଯାଇ ପାରିବ ନାହିଁ। ଦୋଷୀକୁ ଦଣ୍ଡ ମିଳୁ। ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ବଳାତ୍କାର ପରେ ହତ୍ୟା ଓ ତାଙ୍କ ମୃତଦେହକୁ ପୋଡ଼ିଦେବା ଘଟଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ଆନ୍ଦୋଳନକାରୀଙ୍କ ସହ ସ୍ବର ମିଳାଇ ରବିବାର ଏପରି କହିଛନ୍ତି ଜଣେ ଗିରଫ ଅଭିଯୁକ୍ତଙ୍କ ମା’।
ହାଇଦ୍ରାବାଦରେ ବୁଧବାର ରାତିରେ ଜଣେ ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ କେତେଜଣ ଯୁବକ ବଳାତ୍କାର ପରେ ହତ୍ୟା କରିଥିଲେ। ସେମାନେ ପୀଡ଼ିତାଙ୍କୁ ଜୋରଜବରଦସ୍ତ ମଦ ପିଆଇ ଶେଷରେ ଏକ କଲ୍‌ଭର୍ଟ ତଳେ ଜାଳି ଦେଇଥିଲେ। ଏହି ଘଟଣା ତେଲଙ୍ଗାନା ସମେତ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପଲ୍ଲୀରୁ ଦିଲ୍ଲୀ ଯାଏ ବିକ୍ଷୋଭ ଜାରି ରହିଥିବାବେଳେ ରବିବାର ଦୁଇଜଣ ଅଭିଯୁକ୍ତଙ୍କ ମା’ବାପା ମଧ୍ୟ ନିଜ ନିଜ ପୁଅମାନଙ୍କ ଘୃଣ୍ୟ କାର୍ଯ୍ୟକୁ ବିରୋଧ କରିଛନ୍ତି। ଅଭିଯୁକ୍ତ ଚେନ୍ନାକେଶବୁଲୁଙ୍କ ମା’ ଜୟାମ୍ମା କହିଛନ୍ତି, ମା’ ୯ ମାସ ଗର୍ଭଧାରଣ ପରେ ଝିଅକୁ ଜନ୍ମ ଦେଇଥାଏ। ମୋର ବି ଜଣେ ଝିଅ ଅଛି। ତେଣୁ ପୀଡ଼ିତାଙ୍କ ମା’ କେଉଁ ପରିସ୍ଥିତି ଦେଇ ଗତି କରୁଥିବେ ସେହି କଷ୍ଟ ମୁଁ ବୁଝିପାରୁଛି। ମୋ ପୁଅ ଯଦି ଅପରାଧ ଘଟାଇଛି ତାକୁ ବି ପୀଡ଼ିତାଙ୍କ ଭଳି ନିଆଁରେ ଜାଳି ମାରିଦିଅ। ସେହିପରି ମୁଖ୍ୟ ଅଭିଯୁକ୍ତ ଆରିଫ୍‌ଙ୍କ ବାପା ହୁସେନ କହିଛନ୍ତି, ପୁଅ ଯାହା କରିଛି ସେଥିପାଇଁ ତାକୁ ଦଣ୍ଡ ମିଳିବା ଉଚିତ। ପ୍ରକାଶ ଯେ, ଏହି ଲୋମଟାଙ୍କୁରା ବର୍ବରକାଣ୍ଡ ଭିଆଇବା ଅଭିଯୋଗରେ ସାଇବରାବାଦ ପୋଲିସ ଶୁକ୍ରବାର ଜଣେ ଟ୍ରକ୍‌ ଡ୍ରାଇଭର ଓ କ୍ଲିନରଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ସେମାନେ ସମସ୍ତେ ନାରାୟଣପେଟ୍‌ ଜିଲା ବାସିନ୍ଦା। ଆରିଫ୍‌ ଜକ୍କୁଲାରେ ଗ୍ରାମର ହୋଇଥିବାବେଳେ ଅନ୍ୟ ୩ ଅଭିଯୁକ୍ତ ଗୁଡ଼ିଗଣ୍ଡଲା ନିବାସୀ। ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଶନିବାର ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

Share