ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ତୀବ୍ର ହେଲା ଆନ୍ଦୋଳନ, ପରିବହନ କାର୍ଯ୍ୟାଳୟ ବନ୍ଦ

ବରଗଡ଼ ଅଫିସ, ୧।୧୦: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲା ଓକିଲ ସଂଘର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଦାବି ନେଇ ଗତ ମାସ ୨୪ ତାରିଖରୁ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ କାର୍ଯ୍ୟ ବନ୍ଦକରି ଅର୍ଥନୈତିକ ଅବରୋଧ ଜାରି ରଖିଥିବାବେଳେ ମଙ୍ଗଳବାରରୁ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରି ଦେଇଛନ୍ତି। ଫଳରେ ଡ୍ରାଇଭିଂ, ଲର୍ନିଂ ଲାଇସେନ୍ସ ତଥା ବାୟୋମେଟ୍ରିକ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ନିରାଶରେ ଘରକୁ ଫେରିବାକୁ ପଡ଼ୁଛି। ସେହିପରି ପିକେଟିଂ କରି ଓକିଲମାନେ ସ୍ଥାନୀୟ କୋର୍ଟକୁ ମଧ୍ୟ ଅଚଳ କରିଦେଇଛନ୍ତି। ଫଳରେ କୋର୍ଟକୁ ଆସି ବିଚାରପତି, ବିଚାର ବିଭାଗୀୟ କର୍ମଚାରୀମାନେ କୋର୍ଟ ଫାଟକରୁ ଫେରି ଯାଇଛନ୍ତି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବାକୁ ଜିଲା ଓକିଲ ସଂଘ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ସ୍ଥାନୀୟ ସବୁ ରାଜସ୍ବ କାର୍ଯ୍ୟାଳୟ ବନ୍ଦ ରହିଥିବା ଯୋଗୁ ସରକାରୀ କାର୍ଯ୍ୟ ଠପ୍‌ ହୋଇଯାଇଛି। ସଂଘର ସଭାପତି ବେଲାଲସେନ ସରାଫ, ଉପସଭାପତି ସରୋଜ କୁମାର ତ୍ରିପାଠୀ, ସମ୍ପାଦକ ହେମନ୍ତ କୁମାର ପୁରୋହିତ, ଯୁଗ୍ମ ସମ୍ପାଦକ ଲଲାଟେନ୍ଦୁ ବେହେରା ପ୍ରମୁଖ ଏହାର ନେତୃତ୍ୱ ନେଉଛନ୍ତି।