ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କଳାହାଣ୍ଡି ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଲ୍ଲୀ ଯାତ୍ରା

ଭବାନୀପାଟଣା,୧୧।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଓ ଅନ୍ୟାନ୍ୟ ଦାବି ନେଇ କଳାହାଣ୍ଡି ଜିଲା ମିଳିତ ଓକିଲ ସଂଘ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ଚାଲୁ ରହିଛି। ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଦାବିକୁ ପୂରଣ ନ କରିବା ଫଳରେ ଜିଲାବାସୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହି ଦାବି ସହିତ ଜିଲାର କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଗମନାଗମନ, ଶିଳ୍ପ ଆଦିର ବିକାଶ ଦାବି ନେଇ ଜିଲା ମିଳିତ ଓକିଲ ସଂଘ ଓ ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନକ୍ରମେ ଅଇନଜୀବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ବୁଧବାର ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି। ଏହି କମିଟି ଦିଲ୍ଲୀରେ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କ ସମେତ କେନ୍ଦ୍ର ଆଇନମନ୍ତ୍ରୀ ଓ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିବେ। ଏହି ମିଳିତ କମିଟି ଦିଲ୍ଲୀଯାତ୍ରା ପୂର୍ବରୁ ସ୍ଥାନୀୟ ଜିଲା ସିଭିଲ କୋର୍ଟ ପରିସରରେ ଥିବା ମଧୁବାବୁ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ. ବାବା ସାହେବ ଆମ୍ବେଡକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ଶୋଭାଯାତ୍ରାରେ ମାଣିକେଶ୍ୱରୀ ମନ୍ଦିରକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ପରେ କମିଟି ସଦସ୍ୟମାନେ କେସିଙ୍ଗା ହୋଇ ଦିଲ୍ଲୀଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଦିଲ୍ଲୀଯାତ୍ରା କମିଟିରେ ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡା, ଯଶୋବନ୍ତ ନାଏକ, ସତ୍ୟ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାୟ ୨୦ରୁ ୩୦ ଆଇନଜୀବୀ ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ରହିଛନ୍ତି।