ହାଇକୋର୍ଟରେ ଜଜ୍‌ ଚୟନ ବିବାଦ: ୧୨ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ

କଟକ ଅଫିସ, ୪ା୭: ଜୁନ୍‌ ୧୭ରୁ ହାଇକୋର୍ଟ ବାର୍‌ ଆସୋସିଏଶନ ଆନ୍ଦୋଳନ ଚଳାଇଛି। ଆନ୍ଦୋଳନ ସ୍ବରୂପ ଓକିଲମାନେ ହାଇକୋର୍ଟର ନିର୍ଦ୍ଦିଷ୍ଟ କେତୋଟି କୋର୍ଟଙ୍କୁ ବର୍ଜନ କରି ଆସୁଛନ୍ତି। ଏହି ବର୍ଜନ କାର୍ଯ୍ୟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ ୧୨ରେ ପୁଣିଥରେ ସାଧାରଣ ପରିଷଦ ବୈଠକ ବସିବ। ବୈଠକର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି। ବୁଧବାର ହାଇକୋର୍ଟ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଥାଉ କି, ହାଇକୋର୍ଟ ବାହାରୁ ଜଜ୍‌ ଚୟନ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟ ବାର୍‌ ପକ୍ଷରୁ ହାଇକୋର୍ଟର ୩ ଜଣ ବରିଷ୍ଠ ବିଚାରପତିଙ୍କ କୋର୍ଟକୁ ଜୁନ ୧୭ରୁ ବର୍ଜନ କରି ଆସିଛନ୍ତି। ଇତିମଧ୍ୟରେ ବାର୍‌ର ଏକ ପ୍ରତିନିଧି ମଣ୍ଡଳୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଭେଟି ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣାଇଥିଲେ। ଏହି କାର୍ଯ୍ୟରୁ ନିବୃତ୍ତ ରହିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହାଇକୋର୍ଟ ବାର୍‌କୁ ପରାମର୍ଶ ଦେଇଥିଲେ। ମାତ୍ର ଏହାକୁ ବାର୍‌ ଗ୍ରହଣ କରି ନ ଥିଲା।