ହାଇଓ୍ବା,ବସ୍‌ ମୁହାଁମୁହିଁ: ୧୭ଗୁରୁତର, ୩୨ଆହତ, ସ୍ଥାନୀୟ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଜମନକିରା,୨୦।୩: ସମ୍ବଲପୁର ଜିଲା ଜମନକିରା ଥାନା ଫାସିମାଲ- କୁଚିଣ୍ଡା ରାସ୍ତାରେ ଶୁକ୍ରବାର ଦୁର୍ଘଟଣା ଘଟି ୧୭ ଗୁରୁତର ଥିବା ବେଳେ ୩୨ ଆହତ ହୋଇଛନ୍ତି। ଏକ ଘରୋଇ ବସ୍‌ ସହ ହାଇୱା ମୁହାଁମୁହିଁ ଧକ୍କାହେବା ଫଳରେ ବସ୍‌ରେ ଥିବା ୪୯ ଯାତ୍ରୀଙ୍କ ମଧ୍ୟରୁ ୧୭ ଜଣ ଗୁରୁତର ଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ କେତେଜଣଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପୋଲିସ ସୂଚନାନୁଯାୟୀ, ଶୁକ୍ରବାର ସକାଳେ ଏବିଏସ୍‌ ନାମକ ଘରୋଇ ବସ୍‌(ଓଡି-୧୬-୭୯୪୫) କୁଚିଣ୍ଡା ବସ୍‌ଷ୍ଟାଣ୍ଡରୁ ଫାସିମାଲ ଅଭିମୁଖେ ବାହାରିଥିଲା। ଗୁଲୁଜିପାଲି ପୋଲ ନିକଟରେ ବିପରୀତ ଦିଗରୁ ଫ୍ଲାଏଆଶ୍‌ ନେଇ ଆସୁଥିବା ଏକ ହାଇୱା ( ଓଡି୨୩ ବି୧୯୦୦) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍‌ରେ ବସିଥିବା ୪୯ ଜଣଙ୍କ ମଧ୍ୟରୁ ୧୭ ଜଣ ଗୁରୁତର ହୋଇଥିଲେ। ଅନ୍ୟ ୩୨ ଜଣ ସାମାନ୍ୟ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଫାସିମାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୁଚିଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। କେତେଜଣ ଗୁୁରୁତର ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତଙ୍କ ମଧ୍ୟରୁ ବୈକୁଣ୍ଠନାଥ ଭଇଁଷା (୬୦)ଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ସେମାନଙ୍କ ଦାବି ଅନୁସାରେ ବହୁବାର ଏହି ରାସ୍ତାରେ ହମ୍ସ ନ ଥିବାରୁ ଦୁର୍ଘଟଣା ଘଟୁଛି। ପ୍ରଶାସନ ପାଖରେ ଦାବି ସତ୍ତ୍ୱେ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଏଥିସହ ଉକ୍ତ ରାସ୍ତାରେ ଥିବା ଟାଇଁସର, ଫାସିମାଳ ଓ ଗୁଲୁଜିପାଲି ପୋଲ ବହୁଦିନରୁ ତିଆରି ହୋଇଥିବାରୁ ସଂକୀର୍ଣ୍ଣ ରହିଛି; ଯଦ୍ଦ୍ବାରା ଯାତାୟାତ କରୁଥିବା ଯାନବାହନଗୁଡ଼ିକ ଦୁର୍ଘଟଣାର ସମ୍ମୁଖୀନ ହେଉଛି। ପୋଲିସ ଓ ବିଭାଗ ଅଧିକାରୀ ପହଞ୍ଚି ହମ୍ସ ଓ ପୋଲ ଓସାରିଆ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଛି। ଏନେଇ ଜମନକିରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁକରାଯାଇ ତଦନ୍ତ ଜାରିରହିଛି।