Categories: ଜାତୀୟ

ହସ୍ପିଟାଲରେ ଉଭୟ ମହିଳା-ପୁରୁଷ ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚରରେ ଯିବାକୁ ବାଧ୍ୟ କରାଗଲା

ଇନ୍ଦୋର,୪।୭: ମଧ୍ୟପ୍ରଦେଶର ମହାରାଜା ଯଶଓ୍ବନ୍ତରାଓ ହସ୍ପିଟାଲରେ ଅନିଚ୍ଛା ସତ୍ତ୍ୱେ ଜଣେ ମହିଳା ଓ ଜଣେ ପୁରୁଷ ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚରକୁ ଶେୟାର କରିବାକୁ ବାଧ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏକ୍ସରେ କରିବା ପାଇଁ ଆସିଥିବା ଉଭୟ ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର ଦିଆଯାଇଥିଲା। ମଧ୍ୟପ୍ରଦେଶର ବଡ ହସ୍ପିଟାଲ ଭାବେ ମହାରାଜା ଯଶଓ୍ବନ୍ତରାଓ ହସ୍ପିଟାଲର ନାଁ ଥିବା ବେଳେ ସେଠାରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ସଙ୍ଗିତା ନାମ୍ନୀ ଜଣେ ମହିଳାଙ୍କର ଗତ ୧୨ ଦିନ ତଳେ ଡାହାଣ ଗୋଡ ଭାଙ୍ଗିଯିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଏକ୍ସରେ କରିବାକୁ ଯିବା ସମୟରେ ତାଙ୍କୁ ଜଣେ ପୁରୁଷ ରୋଗୀଙ୍କ ସହ ଷ୍ଟ୍ରେଚର ଶେୟାର କରିବାକୁ ଡାକ୍ତର ବାଧ୍ୟ କରିଥିବା ସେ କହିଛନ୍ତି। ଗୋଟିଏ ଷ୍ଟ୍ରେଚରରେ ଉଭୟ ମହିଳା ଓ ପୁରୁଷ ରୋଗୀ ଯାଉଥିବାର ଭିଡିଓ ଭାଇରାଲ ହେବା ପରେ ମେଡିକାଲ ସୁପେରିଣ୍ଟେଣ୍ଡେଣ୍ଟ ଡାକ୍ତର ପିଏସ୍‌ ଠାକୁର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ସେ ସମୟରେ କାର୍ଯ୍ୟରତଥିବା ଡାକ୍ତର, ନର୍ସ ଓ ଓ୍ବାର୍ଡ ବୟଙ୍କ ବିରୋଧର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share