ହର୍ପିସ ଭୂତାଣୁର ଅନୁଧ୍ୟାନ ପାଇଁ ନନ୍ଦନକାନନ ଆସିବେ କେନ୍ଦ୍ରୀୟ ଟିମ୍‌

ବାରଙ୍ଗ,୨୩ା୯(ଡି.ଏନ.ଏ) : ନନ୍ଦନକାନନରେ ହର୍ପିସ ଭାଇରସ ଯୋଗୁ ୪ଟି ହାତୀଙ୍କର ମୃତ୍ୟୁ ଘଟଣା କର୍ତ୍ତୃପକ୍ଷଙ୍କ ପାଇଁ ନାନା ଚିନ୍ତା ବଢ଼ାଇଛି। ଏହି ଘଟଣା ଏବେ ରାଜ୍ୟରେ ସୀମିତ ହୋଇରହି ନାହଁି। ଜାତୀୟସ୍ତରରେ ମଧ୍ୟ ଏହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ଏହି ଘଟଣା ପରେ ନନ୍ଦନକାନନ ପକ୍ଷରୁ ବିଭିନ୍ନ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସହ ବିଚାରବିମର୍ଶ ମଧ୍ୟ କରାଯାଇଛି ବୋଲି ସୂଚନା ମିଳିଛି। ଶନିବାର ନନ୍ଦନକାନନରେ ହୋଇଥିବା ବୈଷୟିକ କମିଟିର ବୈଠକରେ ଡାକ୍ତରମାନଙ୍କ ଚିକିତ୍ସା ପ୍ରଣାଳୀ ତର୍ଜମା କରିବା ସହ ପ୍ରତିକାର ପାଇଁ ବିଭିନ୍ନ ଆଲୋଚନା କରାଯାଇଥିଲାନ୍‌। ଆମେରିକା, କେରଳ ଓ ଆସାମ ସହ ନନ୍ଦନକାନନ ପକ୍ଷରୁ ଯୋଗାଯୋଗ ରଖାଯାଇଛି ବୋଲି ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ତେବେ ଏହି ଘଟଣା ପରେ ଆସନ୍ତା ୨୫ ତାରିଖରେ କେନ୍ଦ୍ରୀୟ ଚିଡିଆଖାନାର ଏକ ଟିମ ହାତୀ ମୃତ୍ୟୁ ବିଷୟରେ ଅନୁଧ୍ୟାନ ପାଇଁ ନନ୍ଦନକାନନକୁ ଆସୁଥିବାର ଜଣାପଡିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏ ବିଷୟରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଥିଲେ।