Categories: ଖେଳ

ହର୍ଡଲ୍ସ ତାରକା ସାଲି ପିୟରସନଙ୍କ ଅବସର ଘୋଷଣା

ସିଡନୀ,୬।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା ହର୍ଡଲ୍ସ ବିଶ୍ୱଚାମ୍ପିୟନ ସାଲି ପିୟରସନ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। କ୍ରମାଗତ ଭାବେ ଇଞ୍ଜୁରିର ଶିକାର ହେବା କାରଣରୁ ସେ ସମସ୍ତଙ୍କୁ ଚକିତ କରି ଏହି ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସରେ ତାଙ୍କର ଟାଇଟଲ ହାସଲ ଆଶା ଧୂଳିସାଥ୍‌ ହୋଇଛି। ୩୨ ବର୍ଷୀୟ ପିୟରସନ ୨୦୧୨ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୦୦ମିଟର ହର୍ଡଲ୍ସରେ ସେ ଦୁଇଥର ବିଶ୍ୱଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ତେବେ ଆଘାତ ସମସ୍ୟା ତାଙ୍କ ପାଇଁ କାଳ ହୋଇଛି। ଦୀର୍ଘ ୧୬ ବର୍ଷଧରି ସେ ଅଷ୍ଟ୍ରେଲିଆ ଦଳ ତରଫରୁ ପ୍ରତିନିଧିତ୍ୱ କରିଆସୁଥିଲେ। ଏବେ ଅବସର ନେବାର ସମୟ ଆସି ଉପନୀତ ହୋଇଛି ବୋଲି ସିଡ୍‌ନୀରେ ଏକ ଖବରଦାତା ସମ୍ମିଳନୀରେ ପିୟର୍ସ କହିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିବା ପରେ ସେ ଆଘାତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ ଓ ଏବେ ମଧ୍ୟ ଏହା ଚାଲୁ ରହିଛି ବୋଲି ସେ କହିଛନ୍ତି। ଦ୍ରୁତଗତିରେ ଦୌଡ଼ିବାକୁ ଆଉ ଶରୀର ଅନୁମତି ଦେଉ ନାହିଁ। ଆଗାମୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା କଷ୍ଟକର ଓ ଏଥିପାଇଁ ଅବସର ଘୋଷଣା କଲି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ସମସ୍ୟା ସତ୍ତ୍ୱେ ସେ ଅବସର ଘୋଷଣା କରିବେ ବୋଲି ଆଶା କରାଯାଉ ନ ଥିଲା। ଲଣ୍ଡନ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବା ସହ ସେ ୨୦୧୧ ଓ ୨୦୧୨ ବିଶ୍ୱ ଚାମ୍ପିୟନଶିପ୍‌, ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। ୨୦୧୫ରେ ଓ୍ବଲର୍‌ଡ ଟାଇଟଲ ଅଭିଯାନରେ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ସେ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ସାଂଘାତିକ ଭାବେ ବିଫଳ ହୋଇଥିଲେ। ଗତ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ସେ ଓହରିଯିବାକୁ ବାଧ୍ୟ ହୋଇଥିଲେ। ପିୟରସନ ଜଣେ ମହାନ ଆଥଲେଟ୍‌ ବୋଲି ଅଷ୍ଟ୍ରେଲୀୟ ଅଲିମ୍ପିକ୍‌ କମିଟି ସିଇଓ ମ୍ୟାଟ୍‌ କାରୋଲ କହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସେ ଅଂଶଗ୍ରହଣ କରୁ ନ ଥିବାରୁ ଆମେ ନିରାଶ ହୋଇଛୁ। ତେବେ ପିୟରସନଙ୍କ ଅବସର ନିଷ୍ପତ୍ତିକୁ ଆମେ ସମ୍ମାନ ଜଣାଉଛୁ ବୋଲି କାରୋଲ କହିଛନ୍ତି।

Share