ହରିୟାଣାରୁ ଓଡ଼ିଆ ଆଦିବାସୀ ମହିଳା ଉଦ୍ଧାର ଦଲାଲ ଚାଲାଣ କରିଥିବା ସନ୍ଦେହ

ଭୁବନେଶ୍ୱର, ୨୧।୫(ବ୍ୟୁରୋ)- ହରିୟାଣାର ସୋହାନାସ୍ଥିତ ଟାକ୍ସି ଷ୍ଟାଣ୍ଡ୍‌ରେ ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଭାରତ ବିକାଶ ପରିଷଦର ସଦସ୍ୟମାନେ ଉଦ୍ଧାର କରିଛନ୍ତି। ମହିଳାଜଣକ ବୟସ ପ୍ରାୟ ୩୫ ବର୍ଷ ହେବ ଓ ସେ ଓଡିଆରେ କଥା ହେଉଥିବାରୁ ଓଡ଼ିଶାରେ ଥିବା ସଂଗଠନ ସହ ଯୋଗାଯୋଗ କରାଯାଇଥିଲା। ମହିଳା ଜଣକ ନିଜ ଘର ଓଡ଼ିଶାର ମୁନିଗୁଡ଼ା ବୋଲି କହିଥିଲେ। ପରିଷଦର ସଦସ୍ୟମାନେ ରାୟଗଡ଼ା ଏସ୍‌ପି କାର୍ଯ୍ୟାଳୟ ଓ ମୁନିଗୁଡ଼ା ଥାନାକୁ ମହିଳାଙ୍କ ଫଟୋ ପଠାଇଥିଲେ ମଧ୍ୟ ତାଙ୍କୁ ଚିହ୍ନଟ କରାଯାଇ ପାରି ନ ଥିଲା। ତେବେ ମହିଳାଙ୍କ ହାତରେ ଏକ ଟାଟୁ ରହିଛି ଯେଉଁଥିରେ ନୀଳିମା ବୋଲି ଲେଖା ରହିଛି। ମହିଳା ଜଣଙ୍କୁ କେହି ଦଲାଲ କୌଣସି ଆଳ ଦେଖାଇ ହରିୟାଣା ଚାଲାଣ କରିଥିବା ଓ ପରେ ଟ୍ୟାକ୍ସି ଷ୍ଟାଣ୍ଡ୍‌ରେ ଛାଡି ଫେରାର ହୋଇଯାଇଥିବା କୁହାଯାଉଛି। ମହିଳା ଜଣକ ନାନା ଭୟ ଓ ଆଶଙ୍କାରେ ଟ୍ୟାକ୍ସି ଷ୍ଟାଣ୍ଡ୍‌ରେ ବସିଥିବାବେଳେ ପରିଷଦ ସଦସ୍ୟମାନେ ଉଦ୍ଧାର କରିଥିଲେ। ଉକ୍ତ ମହିଳାଙ୍କୁ ସ୍ଥାନୀୟ ଶର୍ଟ-ଷ୍ଟେ ହୋମ୍‌ରେ ରଖାଯାଇଛି। ପରିଚୟ ମିଳିବା ପରେ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।