ହରିପୁରରେ ଆଜିଠାରୁ ‘ମାୟାବିନୀ ମୌସୁମୀ’

ରାଜ୍ୟର ଅନ୍ୟତମ ଯାତ୍ରାକୁମ୍ଭ ଭାବରେ ପରିଚିତ ଯାଜପୁରସ୍ଥ ହରିପୁର କୁଞ୍ଜମେଳାରେ ଆରମ୍ଭ ହୋଇଯାଇଛି ଯାତ୍ରା ଫିଭର। ଜଲିଉଡ୍‌ର ଅନ୍ୟତମ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ‘ଅପେରା ସୂର୍ଯ୍ୟମନ୍ଦିର’ ଆଜି ଠାରୁ ଏଠାରେ ଯାତ୍ରା ପରିବେଷଣ ଆରମ୍ଭ କରୁଛି। ଯାତ୍ରା ଫ୍ୟାନମାନଙ୍କର ଆଗ୍ରହକୁ ଆଖିଆଗରେ ରଖି ଅନୁଷ୍ଠାନ ଏଠାରେ ତା’ର ଏ ବର୍ଷର ସବୁଠାରୁ ସଫଳ ନାଟକ ‘ମାୟାବିନୀ ମୌସୁମୀ’କୁ ଅସ୍ତ୍ର କରିଛି ବୋଲି ସୂଚନା ଦେଇଛନ୍ତି ନାଟ୍ୟକାର ତଥା ପରିଚାଳକ ବଙ୍କିମ ସ୍ବାଇଁ। ସେ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଯେଉଁଠି ବି ଏହି ନାଟକ ହୋଇଛି ତାହାକୁ ଦର୍ଶକମାନେ ପସନ୍ଦ କରିଛନ୍ତି। ସେମାନଙ୍କର ଭଲପାଇବା ଦେଇଛନ୍ତି। ହରିପୁର ଏକ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ହୋଇଥିବାରୁ ଏଠାକୁ ବହୁ ଦୂରଦୂରାନ୍ତରୁ ଗୁଣୀ ଦର୍ଶକ ଯାତ୍ରା ଦେଖିବାକୁ ଆସିଥାନ୍ତି। ତେଣୁ ‘ମାୟାବିନୀ ମୌସୁମୀ’ ନାଟକ ନିଶ୍ଚିତ ସେମାନଙ୍କର ଭରପୂର ମନୋରଞ୍ଜନ କରିବ ବୋଲି ମୁଁ ଆଶାବାଦୀ।’ ସୂଚେଇ ଦିଆଯାଇପାରେ ଯେ, ନାରୀର ସ୍ନେହ, ପ୍ରେମ, ତ୍ୟାଗ ତଥା ବଳିଦାନର କାହାଣୀକୁ ନେଇ ରଚିତ ହୋଇଛି ନାଟକ ‘ମାୟାବିନୀ ମୌସୁମୀ’। ନାରୀଟିଏ ଠିକ୍‌ ମୌସୁମୀ ପରି। ମୌସୁମୀ ଯେପରି ପୃଥିବୀକୁ ଶସ୍ୟଶ୍ୟାମଳା କରେ। ସବୁଜିମାରେ ଭରିଦିଏ। ମାତ୍ର ଯେବେ ମୌସୁମୀ ରାଗିଯାଏ ସେତେବେଳେ ଧୂଳି ଧୂସର ହୋଇଯାଏ ପୃଥିବୀ। ଠିକ୍‌ ସେହିପରି ନାରୀର ସ୍ନେହ, ପ୍ରେମ, ତ୍ୟାଗ, ଭଲ ପାଇବାକୁ ନେଇ ପୁରୁଷ ସୁଖର ସଂସାର କରେ। ମାତ୍ର ନାରୀ ବିଗିଡ଼ିଗଲେ ତା’ ଆଖିର ନିଅଁାରେ ପୁରୁଷର ସାମ୍ରାଜ୍ୟ ଜଳିପୋଡ଼ି ଛାରଖାର ହୋଇଯାଏ। ନାଟକଟିକୁ ଅଧ୍ୟାପକ ଚିନ୍ମୟ ଦାସ ଚରନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି କିଶୋର ଖଣ୍ଡୁଆଳ। ନିଗମ ମିଶ୍ରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ବିକାଶ ଶୁକ୍ଳା। ଅଭିନୟରେ ଅଛନ୍ତି ବିନୋଦ, ବେବିନା, ରୀନା, ଲିଜା, ପୂଜା, ସାଇ ସୁରଜ, ଦୀପକ ବୋଷ, ଅଭି, ବ୍ରଜ ପାଣି, ବାପି, ଟୁକୁ ପ୍ରମୁଖ।

Share