ହରଭଙ୍ଗା ବ୍ଲକ: ଜଳିଗଲାଣି ପଲ୍‌ହାଘାରି, ଗଜାମରୁଡି ଆଶଙ୍କା

ପୁରୁଣାକଟକ,୧୫।୭ (ଡି.ଏନ.ଏ) : କେଉଁ ବର୍ଷ ମରୁଡି ତ କେଉଁ ବର୍ଷ ବନ୍ୟା । ଏଭଳି ଗତ ୩୦ ବର୍ଷ ଧରି ପ୍ରକୃତ ଦାଉ ସାଧୁଥିବାରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି। ଏହି ବ୍ଲକର ଚାଷୀମାନେ ଚାଷ ପାଇଁ କେବଳ ବର୍ଷା ଉପରେ ନିର୍ଭର କରିଥାନ୍ତି। ଚଳିତବର୍ଷ ଆଷାଢ ମାସରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ଗଜାମରୁଡି ଆଶଙ୍କା ଦେଖାଦେଇଛି । ବର୍ଷାଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ତଳିଘାରି ଶୁଖିଲା ପଡିଛି । ଏହାସହିତ ଧାନରୁଆ, ବେଉଷୁଣ ମଧ୍ୟ ହୋଇପାରୁନାହିଁ ।
ସୂଚନା ଅନୁଯାୟୀ, ହରଭଙ୍ଗାର ବ୍ଲକରେ ଧାନଚାଷ ପାଇଁ ୧୫ହଜାର ୪୫୦ହେକ୍ଟର, ଅଣଧାନ ଚାଷ ପାଇଁ ୯ହଜାର ୭୮୫ହେକ୍ଟର ଚାଷ ଜମି ରହିଛି। ସେଥିରୁ ୧୮ହଜାର ୧୨୪ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ରହିଛିି । ଚିଳିତବର୍ଷ ଚାଷୀ ଧାନ ବିହନ ଆଣି ଚାଷକାର୍ଯ୍ୟକୁ ଆଗେଇ ନେଇଥିଲା। ଧାନ ବୁଣା ସହିତ ତଳିପକା କାର୍ଯ୍ୟକୁ ଆଗେଇନେଇ ଜମିପ୍ରସ୍ତୁତ କରିନେଇଥିଲା । ମାତ୍ର ବର୍ଷାର ଲୁଚକାଳି ଖେଳ ଯୋଗୁ ସମ୍ପ୍ରତି ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଖାଲୁଆ ଜମିରେ ବୁଣା ହୋଇଥିବା ଧାନ ବର୍ଷାଭାବରୁ ବେଉଷୁଣ ହୋଇପାରୁନାହିଁ। ତଳିଘାରିରେ ପାଣି ଅଭାବ ଯୋଗୁ ଧାନରୁଆ କାର୍ଯ୍ୟ ମଧ୍ୟ ଆଗେଇ ପାରୁନାହିଁ। ବହୁସ୍ଥାନରେ ତଳିଘାରି ଫାଟି ଆଁ କଲାଣି। ଏଭଳିସ୍ଥିତିରେ ଚାଷୀ ବର୍ଷାକୁ ଚାତକ ଭଳି ଅନେଇ ବସିଛି । ବ୍ଲକର ସବୁ ପଞ୍ଚାୟତରେ ଜଳସେଚନ ସୁବିଧା ନ ଥିବାରୁ ଚାଷକାର୍ଯ୍ୟ ହୋଇ ପାରୁନାହିଁ । ଜୁନ୍‌ ମାସରେ ୨୩୩.୮୦ମି.ମି ବର୍ଷା ହେବା ପରିବର୍ତ୍ତେ ହାରାହାରି ୧୬୪ମି.ମି ହୋଇଛି । ସେହିପରି ଜୁଲାଇରେ ୪୧୮.୫୦ମି.ମି ପରିବର୍ତ୍ତେ ବର୍ତ୍ତମାନ ସୁଦ୍ଧା ଜିଲାରେ ହାରାହାରି ୧୨୮ ମି.ମି ବର୍ଷା ରେକର୍ଡ ହୋଇଛି । ବୃଷ୍ଟିପାତ ରିପୋର୍ଟ ଅନୁସାରେ ଚଳିତବର୍ଷ ଜୁନ୍‌ରେ ହରଭଙ୍ଗାରେ ୧୪୪ମି.ମି, ବୌଦ୍ଧରେ ୯୫ମି.ମି ଏବଂ କଣ୍ଟାମାଳରେ ୧୪୫ମି.ମି ବର୍ଷା ହୋଇଛି। ସେହିପରି ଜୁଲାଇ ୧୩ ସୁଦ୍ଧା ହରଭଙ୍ଗାରେ ୧୭୧ମି.ମି, ବୌଦ୍ଧରେ ୧୭୧ମି.ମି ଏବଂ କଣ୍ଟାମାଳରେ ୧୫୦ମି.ମି ବର୍ଷା ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଜୁଲାଇରେ ୬୯ ପ୍ରତିଶ୍ରତ କମ୍‌ ବର୍ଷା ହୋଇଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ଲକ୍ଷଧାର୍ଯ୍ୟ ଅନୁସାରେ ବୃଷ୍ଟିପାତ ନ ହେଲେ ଚାଷ ଉଜୁୁଡିବା ସମ୍ଭାବନା ରହିଛି ବୋଲି କୃଷକ ନେତା ସଲିଳ କୁମାର ଭୋକ୍ତା ସୂଚନା ଦେଇଛନ୍ତି ।