Categories: ଖେଳ

ହମ୍ପି ଓ୍ବାଲର୍‌ଡ ରାପିଡ୍‌ ଚାମ୍ପିୟନ

ମସ୍କୋ, ୨୯ା୧୨ (ପି.ଟି.)-ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ମହିଳା ଓ୍ବାଲର୍‌ଡ ରାପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ ଟାଇଟଲ ଜିତିଛନ୍ତି। ଏଠାରେ ଚାଇନାର ଲି’ ଟିଙ୍ଗ୍‌ଜି ବିପକ୍ଷ ଆର୍ମାଗେଡନ ଗେମ୍‌ ଡ୍ର ରଖିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି। ଭାରତର ଏହି ୩୨ ବର୍ଷୀୟା ଖେଳାଳି ୧୨ତମ ତଥା ଫାଇନାଲ ରାଉଣ୍ଡରେ ଚାଇନାର ଅନ୍ୟ ଜଣେ ଖେଳାଳି ଟାଙ୍ଗ୍‌ ଝୋଙ୍ଗ୍‌ୟିଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିବା ଦ୍ୱାରା ଟିଙ୍ଗ୍‌ଜୀଙ୍କ ସହିତ ବ୍ରେକର ଖେଳିବାକୁ ବାଧ୍ୟ ହୋଇଥିଲେ। ତୃତୀୟ ଦିବସରେ ଯେତେବେଳେ ମୁଁ ମୋ ପ୍ରଥମ ଗେମ୍‌ ଆରମ୍ଭ କଲି ଶୀର୍ଷ ସ୍ଥାନ ଅଧିକାର କରିବି ବୋଲି କେବେ ଭାବି ନ ଥିଲି। କିନ୍ତୁ ଶ୍ରେଷ୍ଠ ୩ ମଧ୍ୟରେ ରହିବି ବୋଲି ମୋର ବିଶ୍ୱାସ ଥିଲା ବୋଲି ହମ୍ପି ପ୍ରକାଶ କରିଛନ୍ତି। ୧୩ତମ ସିଟ୍‌ରୁ ଆରମ୍ଭ କରି ହମ୍ପି ତୁର୍କୀର ଏକାଟରିନା ଆଟାଲିକ୍‌ ଏବଂ ଟିଙ୍ଗ୍‌ଜିଙ୍କ ସହିତ ସମାନ ୯ ପଏଣ୍ଟ ଅର୍ଜନ କରିଥିଲେ। ଇଭେଣ୍ଟରେ ହମ୍ପିଙ୍କ ଆରମ୍ଭ ଭଲ ଥିଲା। ପ୍ରଥମ ୫ ରାଉଣ୍ଡରୁ ସେ ୪.୫ ପଏଣ୍ଟ ସ୍କୋର କରିଥିଲେ। ମାତ୍ର ପରେ ସେ ରୁଷିଆର ଇରିନା ବୁଲ୍‌ମାଗାଙ୍କଠାରୁ ହାରି ଅଳ୍ପକେ ପଛରେ ପଡ଼ିଯାଇଥିଲେ। କିନ୍ତୁ ସେ ପରବର୍ତ୍ତୀ ଦୁଇ ରାଉଣ୍ଡରେ ବିଜୟ ଲାଭ କରିଥିଲେ। ଏହା ସତ୍ତ୍ୱେ ଭାରତୀୟ ଖେଳାଳିଙ୍କୁ ଭାଗ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଆଟାଲିକ୍‌ଙ୍କଠାରୁ ଟିଙ୍ଗଜି ପରାସ୍ତ ହେବା ଦରକାର ପଡ଼ୁଥିଲା। ତାହା ମଧ୍ୟ ଘଟିଥିଲା। ମାତ୍ର ଏତିକିରେ କାର୍ଯ୍ୟ ଶେଷ ହୋଇ ନ ଥିଲା। ହମ୍ପି ଟାଇବ୍ରେକ୍‌ର ପ୍ରଥମ ଗେମ୍‌ରେ ପjରାଜgିତ ହୋଇଥିଲେ। ମାତ୍ର ପରବର୍ତ୍ତି ଗେମ୍‌ ଜିତି ଆର୍ମାଗେଡନ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ସ୍ବର୍ଣ୍ଣ ପଦକ ପାଇଁ ଏହି ଗେମ୍‌ରେ ଅତିକମ୍‌ରେ ଡ୍ର ଯଥେଷ୍ଟ ଥିଲା। ଟିଙ୍ଗ୍‌ଜିଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ଆଟାଲିକ୍‌ ବ୍ରୋଞ୍ଜ ପଦକ ପାଇଥିଲେ। ୨୦୧୭ରେ ବିଶ୍ୱନାଥନ ଆନନ୍ଦ ଓପନ ବିଭାଗରେ ଏହି ଟାଇଟଲ ଜିତିଥିବାବେଳେ ବର୍ତ୍ତମାର ଫର୍ମାଟରେ ହମ୍ପି ଦ୍ୱିତୀୟ ଭାରତୀୟ ଭାବେ ରାପିଡ୍‌ ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟପକ୍ଷରେ ନରଓ୍ବେର ମାଗ୍ନସ କାର୍ଲସେନ ୧୧.୫ ପଏଣ୍ଟ ସ୍କୋର କରି ଏଠାରେ ଓପନ୍‌ ବିଭାଗରେ ଟାଇଟଲ ବିଜୟୀ ହୋଇଛନ୍ତି। ଫିଡେ ଫ୍ଲାଗ୍‌ ଅଧୀନରେ ଖେଳୁଥିବା ଇରାନର ଷ୍ଟାର ଖେଳାଳି ଫିରୋଜା ଅଲିରିଜା ଆମେରିକାର ହିକାରୁ ନାକାମୁରାଙ୍କୁ ପଛରେ ପକାଇ ରୌପ୍ୟ ଜିତିଥିଲେ।

Share