ହନ୍ତା ଭାଇରସ୍‌ ସଂକ୍ରମଣରେ ଜଣେ ମୃତ

ବେଜିଂ,୨୫ା୩: ଚାଇନାର ଉହାନ ସହରରୁ ଚାରିଆଡ଼େ ବ୍ୟାପିଥିବା କରୋନା ଭାଇରସ୍‌ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଆସିଛି। ଏହାର ସଂକ୍ରମଣରେ ଚାଇନାର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଭୂତାଣୁକୁ ହନ୍ତା ଭାଇରସ୍‌ ବୋଲି ନାମକରଣ କରାଯାଇଛି।
ଚାଇନାର ଗ୍ଲୋବାଲ୍‌ ଟାଇମ୍ସ ପକ୍ଷରୁ କରାଯାଇଥିବା ଟୁଇଟ୍‌ ଅନୁସାରେ ୟୁନାନ ପ୍ରଦେଶର ଜଣେ ବ୍ୟକ୍ତି ସୋମବାର ଶାନ୍‌ଡୋଙ୍ଗ୍‌ ପ୍ରଦେଶକୁ କାମ ପାଇଁ ବସ୍‌ରେ ଯାଉଥିବାବେଳେ ଏହି ହନ୍ତା ଭାଇରସ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ମଧ୍ୟ ପରୀକ୍ଷା କରାଯାଇଛି। ତେବେ ଅନ୍ୟମାନଙ୍କ ଦେହରେ ଏହି ଭୂତାଣୁର ଲକ୍ଷଣ ଥିବା ଜଣାପଡ଼ିନାହିଁ।
ହନ୍ତା ଭାଇରସ୍‌ କ’ଣ:
ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସିପି) ଅନୁସାରେ ହନ୍ତା ଭାଇରସ୍‌ ହେଉଛି ରୋଡେଣ୍ଟ (ମୂଷକ ବା କର୍ତ୍ତଦନ୍ତୀ ମୂଷା ଜାତୀୟ ଜୀବ)ଠାରୁ ସଂକ୍ରମିତ ଭୂତାଣୁ। ଏହି ଭୂତାଣୁରେ ସଂକ୍ରମିତ ହେଲେ ଲୋକଙ୍କ ଦେହକୁ ବିଭିନ୍ନ ରୋଗ ଆସିବାର ଆଶଙ୍କା ରହିଛି। ଏଥିଯୋଗୁ ହନ୍ତା ଭାଇରସ୍‌ ପୁଲମୋନାରି ସିଣ୍ଡ୍ରୋମ୍‌ (ଏଚ୍‌ପିଏସ୍‌) ଏବଂ ହେମୋରହାଜିକ୍‌ ଫିଭର ସହ ରିନାଲ ସିଣ୍ଡ୍ରୋମ୍‌ (ଏଚ୍‌ଏଫ୍‌ଆର୍‌ଏସ୍‌) ମଧ୍ୟ ସୃଷ୍ଟି ହୋଇଥାଏ। ଏହା ବାୟୁବାହକ ରୋଗ ନୁହେଁ। ରୋଡେଣ୍ଟମାନଙ୍କ ମଳ, ମୂତ୍ର ଓ ଲାଳ ସଂସ୍ପର୍ଶରେ ଆସିଲେ ଏହି ଭୂତାଣୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥାଏ।
ହନ୍ତା ଭାଇରସର ଲକ୍ଷଣ:
ଏଚ୍‌ପିଏସ୍‌ର ପ୍ରାଥମିକ ଲକ୍ଷଣ ହେଉଛି ଏଥିରେ ସଂକ୍ରମିତ ବ୍ୟକ୍ତି କ୍ଳାନ୍ତ ଅନୁଭବ କରିବେ। ତାଙ୍କୁ ଜ୍ୱର ହେବା ସହ ଶୀରା ପୀଡ଼ା, ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା, ଦେହ ଶୀତାଇବା ଓ ପେଟ ସମସ୍ୟା ଦେଖାଦେବା ଆଦି ଅସୁବିଧା ଦେଖାଦେଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରା ନ ଗଲେ କଫ ଜମିବା ସହ ଶ୍ୱାସଜନିତ ସମସ୍ୟା ସୃଷ୍ଟି ହେବ ଓ ତାଙ୍କର ଜୀବନ ମଧ୍ୟ ଚାଲିଯାଇପାରେ। ଏଥିରେ ସଂକ୍ରମିତଙ୍କ ମୃତ୍ୟୁ ଘଟିବା ଆଶଙ୍କା ୩୮% ରହିଛି। ଏଚ୍‌ଏଫ୍‌ଆର୍‌ଏସ୍‌ର ପ୍ରାଥମିକ ଅବସ୍ଥା ମଧ୍ୟ ଅନୁରୂପ ରହିଥାଏ। ଏଥିଯୋଗୁ ନିମ୍ନ ରକ୍ତଚାପ, ତୀବ୍ର ଆଘାତ, ରକ୍ତକୋଷିକାରେ ଲିକେଜ୍‌ ଓ କିଡ୍‌ନୀ ଫେଲ୍‌ ହେବାର ମଧ୍ୟ ଆଶଙ୍କା ରହିଛି। ଏଚ୍‌ପିଏସ୍‌ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖକୁ ଯାଉ ନ ଥିବାବେଳେ ଲୋକଙ୍କ ମଧ୍ୟରେ ଏଚ୍‌ଏଫ୍‌ଆର୍‌ଏସ୍‌ର ଟ୍ରାନ୍ସମିଶନ ବିରଳ ବୋଲି ସିଡିସିପି ପକ୍ଷରୁ କୁହାଯାଇଛି। ଏହି ରୋଗରୁ ବର୍ତ୍ତିବା ପାଇଁ ରୋଡେଣ୍ଟ ସଂଖ୍ୟା ହ୍ରାସ କରିବା ହେଉଛି ପ୍ରାଥମିକ ରଣନୀତି।

Share