ହତ୍ୟା କରିଥିବା ସ୍ବୀକାର କଲେ ଅନୁପ ସାଏ: ଜାଣନ୍ତୁ କାହିଁକି ତାଙ୍କ ଉପରେ ସନ୍ଦେହ କଲା ପୋଲିସ

ଝାରସୁଗୁଡ଼ା ଅଫିସ,୧୪।୨- ଝାରସୁଗଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ପୋଲିସ ବୁଧବାର ରାତିରେ ଏଠାରୁ ଟେକି ନେଇଥିଲା। ଏକ ଡବଲ୍‌ ମର୍ଡରରେ ତାଙ୍କ ସମ୍ପୃୃକ୍ତି ନେଇ ତାଙ୍କୁ ପୋଲିସ ଗୁରୁବାର ରାତିରେ ଗିରଫ କରିଥିଲା। ଏ ସମ୍ପର୍କରେ ବିସ୍ତୃତ ଭାବେ ରାୟଗଡ଼ ଜିଲା ପୋଲିସ ଏସ୍‌ପି ସନ୍ତୋଷ ସିଂ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ପି ସିଂଙ୍କ ସୂଚନା ମୁତାବକ, ଗତ ୭ ମେ ରେ ଏହି ହତ୍ୟାକାଣ୍ଡ ହୋଇଥିଲା। ହମିରପୁର ଜଙ୍ଗଲ ରାସ୍ତାରୁ ଜଣେ ମହିଳା ଓ ଜଣେ ଶିଶୁ କନ୍ୟାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ମୃତଦେହର ପରିଚୟ ମିଳି ନ ଥିବା ବେଳେ ପ୍ରାଥମିକ ତଦନ୍ତ ବେଳେ ପ୍ରଥମେ ହତ୍ୟାକରି ଏହାକୁ ଦୁର୍ଘଟଣା ରୂପ ଦିଆଯାଇଥିବା ଜଣାପଡିଥିଲା। ପରେ ପୋଲିସ ଏହି ମାମଲାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ ଓଡିଶା, ପଶ୍ଚିମବଙ୍ଗ, ୟୁପି, ବିହାର, ଝାରଖଣ୍ଡ ଆଦି ରାଜ୍ୟର ପୋଲିସକୁ ମୃତଦେହର ଚିହ୍ନଟ ପାଇଁ ଫଟୋ ପଠାଇଥିଲା। ପରେ ପ୍ରାୟ ଏକ ବର୍ଷ ପରେ ଝାରସୁଗୁଡା ପୋଲିସରେ କାର୍ଯ୍ୟ କରୁଥିବା ଜଣେ ଏହି ମୃତଦେହଗୁଡିକୁ ଚିହ୍ନଟ କରିଥିଲେ। ସେମାନେ ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାଶ ଓ ତାଙ୍କ ଝିଅ ବବଳୀ ବୋଲି ଛତିଶଗଡ଼ ପୋଲିସକୁ ସମସ୍ତ ତଥ୍ୟ ଦେଇଥିଲେ। ଏହା ପରେ ପୋଲିସ ତଦନ୍ତକୁ ବଢ଼ାଇଥିଲା। ଘଟଣାସ୍ଥଳରୁ କଳ୍ପନାଙ୍କ ମୋବାଇଲ ମିଳି ନ ଥିଲେ ବି ସେ ବ୍ୟବହାର କରୁଥିବା ମୋବାଇଲ ନମ୍ବରର କଲ୍‌ ରେକର୍ଡକୁ ଯାଞ୍ଚ କରିଥିଲା ପୋଲିସ। ଏତିକି ବେଳେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସମ୍ପୃକ୍ତି ଜଣାପଡିଥିଲା। ପରେ ପୋଲିସ ପକ୍ଷରୁ ଅନୁପଙ୍କୁ ନୋଟସ ଓ ଫୋନ ଯୋଗେ ଡକାଯାଇଥିଲେ ମଧ୍ୟ ସେ ରାଜନୈତିକ ପଦବୀରେ ଥିବାରୁ ଏହାର ଫାଇଦା ନେଇ ପୋଲିସକୁ ସହଯୋଗ କରି ନ ଥିଲେ। ପରେ ଆବଶ୍ୟକ ପ୍ରମାଣ ଯୋଗାଡ଼କରି ଚକ୍ରଧରନଗର ଥାନା ପୋଲିସ ବିଗତ ୬ ମାସ ହେବ ଅନୁପଙ୍କ ଗତିବିଧି ଉପରେ ନଜର ରଖୁଥିଲା। ଏବଂ ଶେଷରେ ବୁଧବାର ରାତିରେ ତାଙ୍କୁ ଏଠାରୁ ଉଠାଇ ନେଇ ଗିରଫ କରାଯାଇଥିଲା। ସେଠାରେ ପଚରାଉଚରା କରାଯିବା ପରେ ସେ ହତ୍ୟା କରିଥିବା ସ୍ବୀକାର କରିଥିବା ସେ କହିଛନ୍ତି।