ହତ୍ୟାକାରୀଙ୍କୁ କ୍ଷମାଦେଲେ ଖାଶୋଗୀଙ୍କ ପରିବାର

ରିୟାଧ,୨୩ା୫(ଆଇଏଏନ୍‌ଏସ୍‌): ସୌଦି ଖବରଦାତା ଜମାଲ ଖାଶୋଗୀଙ୍କ ହତ୍ୟାକାରୀମାନଙ୍କୁ ତାଙ୍କ ପରିବାର ପକ୍ଷରୁ କ୍ଷମା କରିଦିଆଯାଇଛି। ଖାଶୋଗୀଙ୍କ ପୁଅ ସଲାହଙ୍କ ଟୁଇଟର ଆକାଉଣ୍ଟରେ ଏହା ପୋଷ୍ଟ କରାଯାଇଛି। ପବିତ୍ର ରମଜାନ ମାସରେ ଆଲ୍ଲାଙ୍କ କଥାକୁ ମନେ ପକାଇ ସଲାହ ଲେଖିଛନ୍ତି, ଜଣେ ବ୍ୟକ୍ତି କ୍ଷମା କରିବା ସହ ପୁନଃ ବନ୍ଧୁତ୍ୱ ସ୍ଥାପନ କଲେ ଈଶ୍ୱରଙ୍କ ଦ୍ୱାରା ପୁରସ୍କୃତ ହୋଇଥାନ୍ତି। ସେଥିପାଇଁ ବାପାଙ୍କ ହତ୍ୟାକାରୀଙ୍କୁ ଆମେ କ୍ଷମାଦେଲୁ ବୋଲି ସେ ଓ ତାଙ୍କର ଅନ୍ୟ ଭାଇମାନେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ୨୦୧୮ ଅକ୍ଟୋବର ୨ରେ ଖାଶୋଗୀ ଇସ୍ତାନବୁଲସ୍ଥିତ ସୌଦି ବାଣିଜି୍ୟକ ଦୂତାବାସକୁ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇ ମୃତଦେହକୁ ଗାଏବ କରିଦିଆଯାଇଥିଲା। ଏହି ମାମଲାରେ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ସୌଦି ରାଜପରିବାରର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।

Share