ହଡବଡେଇଲେ ପାକିସ୍ତାନୀ ନ୍ୟୁଜ ଆଙ୍କର

ଇସଲାମାବାଦ,୧୧।୮: ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ସ୍ଥିତିକୁ ଦେଖି ଏବେ ସବୁଠି ଚର୍ଚ୍ଚା ଚାଲିଛି। ପାକିସ୍ତାନର ଜଣାଶୁଣା ନ୍ୟୁଜ ଆଙ୍କର କିରଣ ନାଜ ଏବେ ଯେମିତି ସବୁ ରାଗ ଭାରତ ଉପରେ ସୁଝାଇବା ମୁଡରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ଭାରତର କେତେଜଣ ସୋସିଆଲ ମିଡିଆ ୟୁଜର ଏହାକୁ ଦେଖି ହସି ହସି ବେଦମ୍‌ ହୋଇଛନ୍ତି। କାରଣ କିରଣ ପାକିସ୍ତାନରେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ଭାରତରେ। କାରଣ ତାଙ୍କର ସ୍ପଷ୍ଟ ଉଚ୍ଚାରଣ ସହ ଆକ୍ରମଣାତ୍ମକ ଢଙ୍ଗକୁ ନେଇ ସୋସିଆଲ ମିଡିଆରେ ତାଙ୍କର ରହିଛନ୍ତି ଅଧିକ ଫଲୋୟର୍ସ। ତେବେ ନିକଟରେ ସେ ଟୁଇଟରରେ ତାଙ୍କର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି କିରଣ ହଜ୍‌ ଯାତ୍ରୀଙ୍କୁ ନେଇ ନ୍ୟୁଜ ଆରମ୍ଭ କରୁଥିବା ବେଳେ ଶେଷକୁ ଜମ୍ମୁ-କଶ୍ମୀର ଅନୁଚ୍ଛେଦ ୩୭୦ ଉପରକୁ ଆସି ଯାଉଥାଆନ୍ତି। ଆଉ ପ୍ରତି ଥର ସେ ଏହି କଥା ହିଁ କହୁଥାଆନ୍ତି। ଯାହାକୁ ନେଇ ଏବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଅବଶ୍ୟ ବାଲାକୋଟ ଆକ୍ରମଣ ସମୟରେ ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଯେତେବେଳେ ପାକିସ୍ତାନ ହାତକୁ ଚାଲି ଯାଇଥିଲେ ସେତେବେଳେ ମଧ୍ୟ କିରଣ ଆସିଥିଲେ ଚର୍ଚ୍ଚାକୁ। କାରଣ ସେ ଏମିତି ଢଙ୍ଗରେ ଖବର ଉପସ୍ଥାପନ କରିଥିଲେ ସତେ ଯେମିତି ପାକିସ୍ତାନ ଏକ ବଡ ଯୁଦ୍ଧରେ ବିଜୟ ଲାଭ କରିଛି। ଏଥର ମଧ୍ୟ କିରଣଙ୍କ ମୁହଁରେ ସେମିତି କିଛି ଭାବ ଦେଖିବାକୁ ମିଳିଛି। କାରଣ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଭାରତ ସହ ଯେମିତି ସବୁ ପ୍ରକାର ସମ୍ପର୍କ ଛିନ୍ନ କରିଦେଲାଣି ପାକିସ୍ତାନ। ଅବଶ୍ୟ ଏହାର ପରିଣାମ ବି ଭୋଗିବା ଆରମ୍ଭ କରି ସାରିଲାଣି ପାକିସ୍ତାନ। କାରଣ ଏବେ ସେଠାରେ ଟମାଟୋ କିଲୋ ପହଞ୍ଚିଲାଣି ୩ଶହ ଟଙ୍କାରେ।

Share