ହଟିଲା କଟକଣା: ରାଉରକେଲାରେ ଖୋଲିଲା କଣ୍ଟେନ୍‌ମେଣ୍ଟ ଜୋନ୍‌

ରାଉରକେଲା ଅଫିସ,୩୦।୫: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ମାସ ୨୬ ତାରିଖରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଭାବେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲଗାଯାଇଥିଲା। ପୂର୍ବରୁ କିଛି ଅଞ୍ଚଳରୁ କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର ହୋଇଯାଇଥିଲା। ଶନିବାର ବଳକା ଅଞ୍ଚଳରୁ ମଧ୍ୟ କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର କରାଯାଇଛି। ସମ୍ପୃକ୍ତ ଅଞ୍ଚଳରୁ କୌଣସି ନୂଆ ପଜିଟିଭ୍‌ ବାହାରି ନ ଥିବାରୁ ଏବଂ ବୃହତ୍ତର ଜନସ୍ବାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏ ସମ୍ପର୍କିତ ଏକ ଆଦେଶନାମା ପ୍ରକାଶିତ ହୋଇଛି।

ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ସମ୍ପୃକ୍ତ ଅଞ୍ଚଳର ଲୋକେ ପ୍ରଶାସନକୁ ସହଯୋଗ କରିଛନ୍ତି। ପ୍ରଶାସନ ବି ସବୁବେଳେ ଲୋକଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନେଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ହେଉ ଅବା ସ୍ବାସ୍ଥ୍ୟସେବା କିମ୍ବା ସମ୍ପୃକ୍ତ ଅଞ୍ଚଳରେ ଫସି ରହିଥିବା ଅତ୍ୟାବଶ୍ୟକୀୟ ଜିନିଷପତ୍ର ସେଠାରୁ ବାହାର କରିବା ହେଉ ସବୁ କ୍ଷେତ୍ରରେ ମହାନଗର ନିଗମ ପ୍ରଶାସନ ଏକ ପ୍ରକୃତ ବନ୍ଧୁ ଭଳି ଲୋକଙ୍କ ସହ ଛିଡା ହୋଇଛି। ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅହରହ ଚେଷ୍ଟା କରିଛି। ଆଗାମୀ ଦିନରେ ବି ମହାନଗର ନିଗମ ପ୍ରଶାସନ ଲୋକଙ୍କ ସହ ମିଶି ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବାକୁ ବଦ୍ଧ ପରିକର। ସାନିଟାଇଜେଶନ ଠାରୁ ଆରମ୍ଭ କରି ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ, ଏସବୁ କାର୍ଯ୍ୟରେ କର୍ମଚାରୀମାନଙ୍କ ନିଷ୍ଠାପର ସେବାକୁ ଲୋକଙ୍କ ସୀକୃତି ମିଳିଛି। ଲୋକଙ୍କ ସହଯୋଗ ମିଳିଲେ କରୋନା ନିଶ୍ଚିତ ଭାବେ ହାରିବ। ଆମ ରାଉରକେଲା ବିଜୟୀ ହେବ ବୋଲି କମିଶନର ଦିବ୍ୟଜ୍ୟୋତି ପରିଡା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।