ହଜାରେ ବଦଳରେ ରାଶନକାର୍ଡ ହିତାଧିକାରୀଙ୍କୁ ୯ଶହ ଟଙ୍କା

ପାତ୍ରପୁର,୧୭ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାର ରାଶନ କାର୍ଡ଼ ହିତାଧିକାରୀଙ୍କୁ ଆଗୁଆ ୩ମାସର ରାଶନ ସହ ହଜାରେ ଟଙ୍କା ଦେବାକୁ ଘୋଷଣା କରିଥିଲେ। ମାତ୍ର ପାତ୍ରପୁର ବ୍ଲକ ବରଙ୍ଗ ଓ କେଶରିପଡ଼ା ପଞ୍ଚାୟତ ଭେଜିପଦର ଗ୍ରାମର ହିତାଧିକାରୀଙ୍କୁ ହଜାରେ ଟଙ୍କା ବଦଳରେ ୯ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ପାଖ ଗାଁର ହିତାଧିକାରୀଙ୍କୁ ହଜାରେ ଟଙ୍କା ଦିଆଯାଇଥିବାବେଳେ ଆମକୁ କାହିଁକି କମ୍‌ ମିଳୁଛି ବୋଲି ସେମାନେ ପାଟିତୁଣ୍ଡ କରିବା ସହ ବିଡ଼ିଓଙ୍କୁ ଅବଗତ କରିଥିଲେ। ଏନେଇ କେତେଜଣ ବ୍ୟକ୍ତି ମୋବାଇଲରେ ଭିଡ଼ିଓ ଶୁଟିଂ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଛନ୍ତି। ଏନେଇ ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ଭାଇରାଲ ଭିଡ଼ିଓ ଦେଖିଛି, ମୋବାଇଲରେ ବି କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି, ଏନେଇ ତଦନ୍ତ କରିବି ବୋଲି ସୂଚନା ଦେଇଛନ୍ତି।