ହଜାରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଲେ ସ୍ବରା

ମୁମ୍ବାଇ: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଗୋଟିଏ ପଟେ ରୋଜଗାର ନ ଥାଇ ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକ ଏହି ସମୟରେ ନିଜ ରାଜ୍ୟକୁ ଫେରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଯାନବାହାନ ଚଳାଚଳ ବନ୍ଦ ଥିବାରୁ ସେମାନେ ଚାଲି ଚାଲିି ଅବା ସାଇକେଲରେ ଘରମୁହାଁ ହୋଇଥିଲେ। ଏମାନଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ବଲିଉଡ୍‌ର ସେଲିବ୍ରିଟିମାନେ ବଢାଇଥିଲେ ସହଯୋଗର ହାତ। ତେବେ ପ୍ରବାସୀଙ୍କୁ ଘରେ ପହଞ୍ଚାଇବାରେ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ନାଁ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଏଥିରେ ଯୋଡି ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ନାଁ। ଇତିମଧ୍ୟରେ ସେ ପାଖାପାଖି ୧ ହଜାର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇଥିବା କହିଛନ୍ତି। ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ ସ୍ବରା ଏହା କହିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ ସମୟରେ ପ୍ରବାସୀଙ୍କ ଦୁଃଖ ଦେଖି ମୁଁ ସହିପାରି ନ ଥିଲି। ଘରେ ବସି ରାସ୍ତାରେ ଚାଲି ଚାଲି ଘରମୁହାଁ ହୋଇଥିବା ଶ୍ରମିକଙ୍କୁ ଦେଖିବା ପରେ ମୁଁ ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ସ୍ଥିର କରିଥିଲି। କେବଳ ସେତିକି ନୁହେଁ ସ୍ବରା ମଧ୍ୟ କିଛିଦିନ ତଳେ ଏଭଳି ପ୍ରବାସୀ ଶ୍ରମିକଙ୍କୁ ୫ଶହ ଯୋଡା ଜୋତା ଦାନ କରିଥିବା କୁହାଯାଏ। ବଲିଉଡ୍‌ର ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ବେଳେ ଏବେ ଲକ୍‌ଡାଉନ ପିରିୟଡରେ ସେ ତାଙ୍କ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।

Share