ହଜାରେ ଟଙ୍କା ପାଇଁ ରାତି ଅନିଦ୍ରା

ସମ୍ବଲପୁର, ୧୬।୪ (ବ୍ୟୁରୋ)- କରୋନା କଟକଣା ଲକ୍‌ ଡାଉନ ପରେ ଏହାର ପ୍ରଭାବ ସିଧାସଳଖ ଖଟିଖିଆ, ଦିନ ମଜୁରିଆ ଓ ଗରିବ ଶ୍ରେଣୀ ଲୋକଙ୍କ ଉପରେ ପଡିଛି। ରୋଜଗାର ନ ଥିବାରୁ ସେମାନୁ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ ଟଙ୍କା, ଚାଉଳ, ଗହମ ଏପରିକି ସାମାଜିକ କର୍ମୀ ଓ ଅନୁଷ୍ଠାନ ପକ୍ଷରୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛନ୍ତି । ଏହାକୁ ପାଇବା ପାଇଁ ଲୋକମାନେ ଅନେକ ସ୍ଥାନରେ ହଇରାଣ ହରକତ ହେବାକୁ ପଡୁଛି । ପିଡିଏସ ସାମଗ୍ରୀ ବଣ୍ଟନ କେନ୍ଦ୍ର, ବ୍ୟାଙ୍କ, ଅଙ୍ଗନୱାଡି କେନ୍ଦ୍ର ସ୍କୁଲରେ ଭିଡ ଦେଖିବାକୁ ମିଳୁଛି। ଏଥିରେ ସାମାଜିକ ଦୂରତ୍ୱ ନିୟମ ମଧ୍ୟ ପାଳନ କରାଯାଉ ନାହିଁ । ଏଭଳି ଏକ ଘଟଣା ସମ୍ବଲପୁର ମହାନଗର ନିଗମ ସାକ୍ଷୀପଡାରେ ଦେଖିବାକୁ ମିଳିଛି । ଅସ୍ଥାୟୀ ପିଡିଏସ ବଣ୍ଟନ (ସାକ୍ଷୀଗୋପିନାଥ ପଡା ୟୁପି ସ୍କୁଲ) କେନ୍ଦ୍ର ଖୋଲା ଯାଇଛି । ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ରାସନକାର୍ଡକୁ ବିଳମ୍ବିତ ରାତ୍ରିରୁ ଲାଇନରେ ରଖି ୧ ହଜାର ଟଙ୍କା ପାଇଁ ଜଗି ବସିଥିବା ଦେଖିବାକୁ ମିଳିଥିଲା। ପିଡିଏସ ବଣ୍ଟନ କେନ୍ଦ୍ରରେ କେନ୍ଦ୍ର ସରକାରଙ୍କ ୧ହଜାର ଟଙ୍କା ସହାୟତା ରାଶି ରାସନକାର୍ଡ ଥିବା ହିତାଧିକାରୀମାନଙ୍କୁ ଦିଆଯାଉଛି । ଏହି ଖବର ପ୍ରଚାର ହେବା ପରେ ସମସ୍ତ ପିଡିଏସ କେନ୍ଦ୍ର ଗୁଡିକରେ ଭିଡ ବଢ଼ିଛି। ପିଡିଏସ ଡିଲରମାନେ ପ୍ରତିଦିନ ପ୍ରାୟ ୪୦ ରୁ ୫୦ଜଣ ହିତାଧିକାରୀମାନଙ୍କୁ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଅନ୍ୟପଟେ ଟଙ୍କା ଯଦି ଶୀଘ୍ର ହିତାଧିକାରୀ ନ ଆଣିବେ ତାହା ହେଲେ ଫେରିଯିବ ବୋଲି ମିଛ ଖବର ପ୍ରଚାର କରାଯାଉଛି । ତେଣୁ ହିତାଧିକାରୀ ରାତି ସାରା ଉଜାଗର ରହି ୧ ହଜାର ଟଙ୍କା ପାଇଁ ବିଳମ୍ବିତ ରାତ୍ରିରେ ବଣ୍ଟନ କେନ୍ଦ୍ରରେ ଲାଇନରେ ଛିଡା ହୋଇ ରହୁଛନ୍ତି । ସେଠାରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖା ଦେଉଛି । ଏପରିକି କରୋନା ସଂକ୍ରମଣ ଆଶଙ୍କା ରହୁଛି । ଏ ଦିଗରେ ଜିଲା ପ୍ରଶାସନ ଓ ପୋଲିସ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଳରେ ଦାବି ହେଉଛି। ଭାଜପା ଯୁବ ମୋର୍ଚ୍ଚ ଜିଲା ସଭାପତି ରିକନ ପଟ୍ଟନାୟକ ମଧ୍ୟ ଏନେଇ ଦାବି କରିଛନ୍ତି ।