ହଇରାଣ ହେଉଛନ୍ତି ୨ହଜାର ମତ୍ସ୍ୟଜୀବୀ ପରିବାର

ପୁରୀ ଅଫିସ,୯ା୪: ପୁରୀ ପେଣ୍ଠକଟା ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି । ଯେଉଁମାନଙ୍କର ମୁଖ୍ୟ ବେଉସା ହେଉଛି ମାଛ ମାରିବା । ସମୁଦ୍ରରୁ ମାଛ ମାରି ଏହାକୁ ବିକ୍ରି କଲେ ସେମାନଙ୍କ ପରିବାର ଚଳେ। ହେଲେ ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ମାଛ ବିକ୍ରି ହେଉ ନ ଥିବାରୁ ପ୍ରାୟ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଉନାହାନ୍ତି। ଫଳରେ ସେମାନଙ୍କ ଜୀବନ ଜୀବିକା ଏବେ ଦୁର୍ବିସହ ହୋଇପଡିଛି। ସରକାରଙ୍କ ପକ୍ଷରୁ ଯେଉଁମାନଙ୍କ ରାଶନ କାର୍ଡ ରହିଛି ସେମାନଙ୍କୁ ପିଡିଏସ୍‌ ସାମଗ୍ରୀ ଏବଂ ଅନ୍ୟାନ୍ୟ ସହାୟତା ମିଳୁଛି । ମାତ୍ର ଯେଉଁମାନଙ୍କର କାର୍ଡ ନାହିଁ ସେମାନଙ୍କୁ କୌଣସି ସହାୟତା ମିଳୁନାହିଁ। ଏହିପରି ପେଣ୍ଠକଟାର ପ୍ରାୟ ୨ ହଜାର ମତ୍ସ୍ୟଜୀବୀ ପରିବାର ହଇରାଣ ହେଉଛନ୍ତି । ତେଣୁ ବର୍ତ୍ତମାନ ଲକ୍‌ଡାଉନ ସମୟରେ ରାଶନ କାର୍ଡ ନୁହେଁ, ଆଧାର କାର୍ଡ ଦେଖି ସରକାରୀ ସହାୟତା ଦିଆଯାଉ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି।