ସ୍ୟାଣ୍ଡ ଆନିମେଶନରେ ନିର୍ଭୟା ଦୋଷୀଙ୍କ ଫାଶୀ

ପୁରୀ ଅଫିସ,୨୧ା୩: ଶେଷରେ ଫାଶୀଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂ, ଅକ୍ଷୟ ସିଂ, ବିନୟ ଶର୍ମା ଓ ପବନ ଗୁପ୍ତାଙ୍କୁ ଶୁକ୍ରବାର ସକାଳ ସାଢେ ୫ଟାରେ ଫାଶୀ ଦିଆଯାଇଛି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ତେବେ ଏହି ଦିନକୁ ସ୍ୟାଣ୍ଡ ଆନିମେଶନ ଜରିଆରେ ନିର୍ଭୟା ଦିବସ ଭାବେ ଅଭିହିତ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ସେ ତାଙ୍କ ସ୍ୟାଣ୍ଡ ଆନିମେଶନରେ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲୁଥିବା ଦୃଶ୍ୟ ଦେଖାଇଛନ୍ତି। ମଝିରେ ନିର୍ଭୟାଙ୍କ ଚିତ୍ର ରହିଥିବାବେଳେ ଉଭୟ ପାର୍ଶ୍ୱରେ ୨ଜଣ ଲେଖାଏ ଦୋଷୀ ଫାଶୀ ଖୁଣ୍ଟରେ ଝୁଲୁଥିବା ଦର୍ଶାଯାଇଛି। ଏ ସମ୍ପର୍କରେ ମାନସ କହିଛନ୍ତି, ଆଜି ଏକ ଐତିହାସିକ ଦିନ। ଚାରି ଦୋଷୀଙ୍କୁ ଫାଶୀ ଦିଆଯାଇ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ଏବେ ସ୍ବର୍ଗରେ ଥାଇ ତାଙ୍କ ଆତ୍ମା ନିଶ୍ଚିତ ଖୁସି ହେଉଥିବ। ଏହା ଉପରେ ଏକ ସ୍ୟାଣ୍ଡ ଆନିମେଶନ କରାଯାଇଛି। ଏହାକୁ ପ୍ରସ୍ତୁତ କରିବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା ବୋଲି ମାନସ ପ୍ରକାଶ କରିଛନ୍ତି।