Categories: ଖେଳ

ସ୍ମିଥ୍‌ଙ୍କ ଦ୍ୱିତୀୟ ବିବାହ

କେପ୍‌ଟାଉନ, ୫।୧୧- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଗ୍ରାଏମ ସ୍ମିଥ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରୋମି ଲାନଫ୍ରାନ୍ସିଙ୍କ ସହ ସ୍ମିଥଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହ ବେଳର ଫଟୋକୁ ସ୍ମିଥ୍‌ ନିଜ ଟୁଇଟର୍‌ ପୃଷ୍ଠାରେ ଶେୟାର କରି ‘ନଭେମ୍ବର ୨କୁ ଏକ ସ୍ମରଣୀୟ ଦିବସ’ ବୋଲି ଉଲ୍ଲେଖ କରିଛନ୍ତି। ୨୦୧୮ ରୋମିଙ୍କ ସହ ସ୍ମିଥଙ୍କ ନିର୍ବନ୍ଧ ହୋଇଥିଲା। ଆଉ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ସ୍ମିଥ୍‌ଙ୍କ ବିବାହ ଦିନ ଦକ୍ଷିଣ ଆଫ୍ରିକା ରଗ୍‌ବୀ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇଥିଲା।
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ୩୮ ବର୍ଷୀୟ ସ୍ମିଥ୍‌ଙ୍କ ଏହା ୨ୟ ବିବାହ। ପୂର୍ବରୁ ସ୍ମିଥ୍‌ ଆୟର୍ଲାଣ୍ଡ ପପ୍‌ ସିଙ୍ଗର ମୋର୍ଗାନ ଡେଆନେଙ୍କୁ ବିବାହ କରିଥିଲେ। ଉଭୟଙ୍କର କାଡେନ୍ସ (୭ ବର୍ଷ) ଓ କାର୍ଟର (୬ ବର୍ଷ) ନାମରେ ୨ଟି ସନ୍ତାନ ମଧ୍ୟ ରହିଛନ୍ତି। କିନ୍ତୁ ୨୦୧୭ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା। ରୋମି ଓ ସ୍ମିଥ୍‌ ପରସ୍ପରକୁ ୨୦୧୬ରେ ଭେଟିଥିବାବେଳେ ସେମାନଙ୍କର ସେବାଷ୍ଟିଆନ ନାମରେ ୨ ବର୍ଷର ଗୋଟିଏ ପୁଅ ମଧ୍ୟ ରହିଛି। ସ୍ମିଥ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୧୭ ଟେଷ୍ଟ ଓ ୧୯୭ ଏକଦିବସୀୟ ମ୍ୟାଚ୍‌ ଖେଳି ଯଥାକ୍ରମେ ୯୨୬୫ ଓ ୬୯୮୯ ରନ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ଟେଷ୍ଟରେ ୨୭ ଓ ଏକଦିବସୀୟରେ ୧୦ ଶତକ ରହିଛି। ମାତ୍ର ୨୨ ବର୍ଷ ବୟସରେ ଜାତୀୟ ଦଳର ନେତୃତ୍ୱ ନେଇ ସ୍ମିଥ ଦକ୍ଷିଣ ଆଫ୍ରିକାର ସର୍ବକନିଷ୍ଠ ଅଧିନାୟକ ହେବାର ଗୌରବ ଅର୍ଜନ କରିଥିଲେ।

Share