ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜିଦ୍‌ରେ ଅଟଳ ଭାଜପା: ବେକରେ କଳା ଗାମୁଛା ପକାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସଦସ୍ୟଙ୍କ ଧାରଣା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଭାଜପା ସିବିଆଇ ତଦନ୍ତ ଦାବି କରିିଆସୁଛି। ଲଗାତାର ତିନି ଦିନ ଧରି ଭାଜପା ବିଧାୟକମାନେ ଜିଦ୍‌ରେ ଅଟଳ ଅଛନ୍ତି। ଏହି କ୍ରମରେ ଶନିବାର ସଦସ୍ୟମାନେ କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ କରିବା ସହ ଗୃହ ତ୍ୟାଗ କରିଛନ୍ତି। ପ୍ରଶ୍ନକାଳରେ ଭାଜପା ପୁଣି ସ୍ମିତାରାଣୀଙ୍କ ପ୍ରସଙ୍ଗ ଉଠାଇଥିଲେ। ହେଲେ ବାଚସ୍ପତି ସେମାନଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ। ଶେଷରେ ସଦସ୍ୟମାନେ ଗୃହରୁ ବାହାରି ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ପ୍ରକାଶଯୋଗ୍ୟ, ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ଭାଜପା ସଦସ୍ୟମାନେ ଗୃହରେ ଉପସ୍ଥିତ ଥାଇ ମଧ୍ୟ ମୌନବ୍ରତ ଧାରଣ କରିଥିଲେ। ମୁହଁରେ କଳା କପଡ଼ା ଏବଂ କାନ୍ଧରେ କଳା ଗାମୁଛା ପକାଇ ସେମାନେ ପ୍ରତିବାଦ କରିଥିବା ସହ ଗୃହକାର୍ଯ୍ୟରେ ସାମିଲ ହୋଇ ନ ଥିଲେ।