ସ୍ମାର୍ଟ ହେଲମେଟ୍‌

ଏଣିକି ହେଲମେଟ୍‌ ବାଟ ଦେଖାଇପାରିବ। ଏପରି ଏକ ସ୍ମାର୍ଟ ତଥା ହାଇଟେକ୍‌ ହେଲମେଟ୍‌ ପ୍ରସ୍ତୁତ କରାଯାଇଛି। ଏଭଳି ଏକ ପ୍ରୟାସ କରି ରୁଷିଆର ବିଶେଷଜ୍ଞମାନେ ସଫଳ ହୋଇଛନ୍ତି। ଉକ୍ତ ନୂଆ ହେଲମେଟ୍‌ରେ ଅତ୍ୟାଧୁନିକ ଜ୍ଞାନକୌଶଳବିଶିଷ୍ଟ ଡିଭାଇସ୍‌ ସଂଯୋଗ କରାଯାଇଛି। ଫଳରେ ଏହାକୁ ପିନ୍ଧି ଗାଡି ଚଳାଇଲେ ତାହା କେଉଁ ବାଟରେ ଯିବେ ସେ ସମ୍ପର୍କରେ ଆପଣଙ୍କୁ ସୂଚନା ଦେଇପାରିବ। ତା’ ସହ ଭୁଲ ବାଟରେ ଗାଡି ଚଳାଇଲେ ସାଙ୍ଗେ ସାଙ୍ଗେ ଏହି ହେଲମେଟ୍‌ରୁ ଏକ ସ୍ବର ଶୁଣାଯିବ, ଯାହାକୁ ଅନୁସରଣ କରି ବାଇକ୍‌ ଚାଳକ ଠିକ ବାଟରେ ଗାଡ଼ି ଚଳାଇପାରିବ ବୋଲି ରିପୋର୍ଟରେ ସୂଚନା ଦିଆଯାଇଛି। ତେବେ ଏହି ହେଲ୍‌ମେଟକୁ ଆହୁରି ଉନ୍ନତ ଜ୍ଞାନକୌଶଳବିଶିଷ୍ଟ କରିବାକୁ ଆଉ କିଛି ବର୍ଷ ଲାଗିବ ବୋଲି ଏଥିରୁ ଜଣାପଡିଛି।