ସ୍ବାସ୍ଥ୍ୟ ବିଭାଗ ପ୍ରକଳ୍ପରେ କନ୍ଧମାଳକୁ ସ୍କଚ୍‌ ଆୱାର୍ଡ

ଫୁଲବାଣୀ ଅଫିସ, ୨୧ା୬-କନ୍ଧମାଳ ଜିଲା ସ୍ବାସ୍ଥ୍ୟ ବିଭାଗର ପ୍ରକଳ୍ପ ମର୍ଯ୍ୟାଦାଜନକ ସ୍କଚ୍‌ ଆୱାର୍ଡ ପାଇବାକୁ ବିବେଚିତ ହୋଇଛି। ସିଲ୍‌ଭର ବିଭାଗରେ ଜିଲାକୁ ଏହି ପୁରସ୍କାର ମିଳିବ। ଫାଇନାଲ ରାଉଣ୍ଡରେ ଦେଶର ବିଭିନ୍ନ ରାଜ୍ୟରୁ ୩୪ ପ୍ରକଳ୍ପ ସ୍ଥାନିତ ହୋଇଥିଲା। ପ୍ଲାଟିନମ୍‌, ଗୋଲ୍ଡ ଓ ସିଲ୍‌ଭର ବିଭାଗରେ ପୁରସ୍କାର ପାଇଁ ସ୍କଚ୍‌ ଅନ୍‌ଲାଇନରେ ଭୋଟିଂ ହୋଇଥିଲା। ଆୟୋଜକ ସଂସ୍ଥା ଭୋଟିଂକୁ ବିଚାରକୁ ନେଇ ପ୍ରତ୍ୟେକ ବିଭାଗରେ ଦୁଇଟି ଲେଖାଏଁ ପ୍ରକଳ୍ପକୁ ଆୱାର୍ଡ ପାଇଁ ମନୋନୀତ କରିଛିି। ନବରଙ୍ଗପୁର ଜିଲାର ପ୍ରକଳ୍ପ ପ୍ଲାଟିନମ୍‌ ବିଭାଗରେ ଓ କନ୍ଧମାଳ ଜିଲା ସ୍ବାସ୍ଥ୍ୟ ବିଭାଗର ପ୍ରକଳ୍ପ ସିଲ୍‌ଭର ବିଭାଗରେ ଆୱାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ସଂସ୍ଥା ପକ୍ଷରୁ ଜିଲା ପ୍ରଶାସନକୁ ସୂଚନା ଦିଆଯାଇଛି। କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ହସ୍ପିଟାଲରେ ପ୍ରସବ ପାଇଁ ବାଇକ୍‌ ଆମ୍ବୁଲାନ୍ସ, ପ୍ରସବ ଯାନ ଓ ଜନନୀ ଅଟୋ ପ୍ରଚଳନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏହା ଦ୍ୱାରା ହସ୍ପିଟାଲରେ ପ୍ରସବ ସଂଖ୍ୟା ବୃଦ୍ଧି ପାଇବା ସହ ଶିଶୁ ଓ ମାତୃ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଥିଲା।