ସ୍ବାସ୍ଥ୍ୟ ପାଇଁ ଉପକାରୀ କେଶର

କେଶର ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଏହାକୁ ଖାଇଲେ ବହୁ ରୋଗରୁ ମୁକ୍ତି ମିଳିପାରିବ। କେଶର ହଜମ ପ୍ରକ୍ରିୟାକୁ ତ୍ୱରାନିତ କରିଥାଏ। ଏହା କିଡ୍‌ନୀ, ମୂତ୍ରାଶୟ ଏବଂ ଲିଭରଜନିତ ସମସ୍ୟାକୁ ଦୂର କରି ରକ୍ତ ବିଶୋଧନ କରିଥାଏ। ଋତୁସ୍ରାବରେ ଅନିୟମିତତା ହେଉଥିଲେ ଗରମ ଦୁଗ୍ଧରେ କେଶରର ୪-୫ଟି ପାଖୁଡ଼ା ପକାଇ ପିଅନ୍ତୁ। ଦେଖିବେ ଏହି ସମସ୍ୟାର ସମାଧାନ ହୋଇଯିବ। ଗ୍ୟାସ ବା ଏସିଡିଟିଜନିତ ସମସ୍ୟା ହେଉଥିଲେ କେଶର ଖାଆନ୍ତୁ। ରାତିରେ ଶୋଇବା ପୂର୍ବରୁ ହାଲୁକା ଉଷୁମ ଦୁଗ୍ଧରେ କେଶର ପକାଇ ପିଇବା ଦ୍ୱାରା ଅନିଦ୍ରାଜନିତ ରୋଗ ଓ ଅବସାଦ ଦୂର ହୋଇଥାଏ। ସେହିପରି କେଶର ଦୃଷ୍ଟିଶକ୍ତି ବଢ଼ାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ନିୟମିତ ଭାବେ ଦୁଗ୍ଧରେ କେଶର ପକାଇ ପିଇଲେ ତ୍ୱଚାର ରଙ୍ଗ ମଧ୍ୟ ଉଜ୍ଜ୍ୱଳ ଦେଖାଯାଇଥାଏ। ମୁଣ୍ଡ ବ୍ୟଥା ହେଉଥିଲେ ଚନ୍ଦନ ସହ କେଶର ଏକ ଲେପ ତିଆରି କରନ୍ତୁ। ଏହି ଲେପକୁ ମୁଣ୍ଡରେ ଲଗାଇଲେ ବ୍ୟଥା କମ୍‌ ହୋଇଥାଏ। କେଶରରେ କ୍ରୋସିନ ନାମକ ପୋଷକ ତତ୍ତ୍ୱ ରହିଥାଏ, ଯାହା ସ୍ମରଣ ଶକ୍ତିକୁ ବୃଦ୍ଧି କରିଥାଏ।